ରୋମାଞ୍ଚକର ଟେଷ୍ଟରେ ପାକିସ୍ତାନକୁ ତାରି ଘରେ ମାତ୍ ଦେଲା ଇଂଲଣ୍ଡ, ୨୨ ବର୍ଷ ପରେ ହାସଲ କଲା ବିଜୟ
5/12/2022 at 8:28 PM

ରାଓ୍ଵଲପିଣ୍ଡି: ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ପ୍ରଥମ ଟେଷ୍ଟରେ ୭୪ ରନରେ ହରାଇଛି। ଏହି ବିଜୟ ସହିତ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି ଇଂଲଣ୍ଡ। ରାଓ୍ଵଲପିଣ୍ଡିରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ପାକିସ୍ତାନକୁ ୩୪୩ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ମାତ୍ର ମ୍ୟାଚ୍ର ଶେଷ ଦିନର ଅନ୍ତିମ ସେସନରେ ପାକିସ୍ତାନ ୨୬୮ ରନରେ ଅଲଆଉଟ୍ ହୋଇଛି। ଏକଦା ୨୫୯ ରନରେ ୫ ଓ୍ଵିକେଟ୍ ହରାଇ ବିଜୟ ଆଡକୁ ଅଗ୍ରସର ହେଉଥିବା ପାକିସ୍ତାନ ନିମ୍ନକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ପରାଜୟବରଣ କରିଛି।
ଇଂଲଣ୍ଡ ପାକିସ୍ତାନକୁ ୨୨ ବର୍ଷ ପରେ ତାରି ଘରେ ହରାଇବାରେ ସଫଳ ହୋଇଛି। ଏହା ପୂର୍ବରୁ ୨୦୦୦ ମସିହାରେ ଶେଷ ଥର ଇଂଲଣ୍ଡ ପାକିସ୍ତାନକୁ ତାରି ମାଟିରେ ଟେଷ୍ଟ ମ୍ୟାଚ୍ରେ ୬ ଓ୍ଵିକେଟ୍ରେ ହରାଇଥିଲା। ଏବେ ତିନି ମ୍ୟାଚ୍ର ଟେଷ୍ଟ ସିରିଜ୍ର ଦ୍ଵିତୀୟ ମ୍ୟାଚ୍ ମୁଲତାନରେ ଡିସେମ୍ବର ୯ରେ ଖେଳାଯିବ।
ପାକିସ୍ତାନ ପକ୍ଷରୁ ଦ୍ଵିତୀୟ ଇନିଂସରେ ସାଉଦ ସକିଲ ୭୬ ରନର ଇନିଂସ ଖେଳିଛନ୍ତି। ଇମାମ ଉଲ ହକ ୪୮ ରନ ଏବଂ ମହମ୍ମଦ ରିଜଓ୍ଵାନ ୪୬ ରନର ଯୋଗଦାନ ଦେଇଛନ୍ତି। ଏକଦା ପାକିସ୍ତାନ ୫ ଓ୍ଵିକେଟ୍ ହରାଇ ୨୫୯ ରନ କରିଥିଲା ଏବଂ ବିଜୟ ଆଡକୁ ଅଗ୍ରସର ହେଉଥିଲା। ତେବେ ଆଗା ସଲମାନ(୩୦ ରନ) ଏବଂ ଅଜହର ଅଲ୍ଲୀ(୪୦ ରନ) ଆଉଟ୍ ହେବା ପାକିସ୍ତାନକୁ ଶକ୍ତ ଝଟକା ଲାଗିଥିଲା। ଆଉ ନିମ୍ନକ୍ରମରେ ବ୍ୟାଟିଂ ବିପର୍ଯ୍ୟ ଭୋଗି ୨୬୮ ରନରେ ସୀମିତ ରହିଥିଲା। ବାବର ଆଜମ(୪) ଦ୍ଵିତୀୟ ଇନିଂସରେ ଶୀଘ୍ର ଆଉଟ୍ ହେବା ଦଳକୁ ମହଙ୍ଗା ପଡିଛି। ଓଲି ରବିନସନ ୫୦ ରନରେ ୪ ଏବଂ ଜେମ୍ସ ଆଣ୍ଡରସନ ୩୬ ରନରେ ୪ ଓ୍ଵିକେଟ୍ ଦେଇ ଦଳ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ବେନ ଷ୍ଟୋକ୍ସ ଏବଂ ଜାକ୍ ଲିଚ୍ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
ପ୍ରଥମ ଟେଷ୍ଟରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୬୫୭ ରନର ବିଶାଳ ସ୍କୋର କରିଥିଲା। ଜବାବରେ ପାକିସ୍ତାନ ଦୃଢ ଜବାବ ଦେଇ ୫୭୯ ରନ କରିଥିଲା। ଆଉ ଇଂଲଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୭୮ ରନ ଅଗ୍ରଣୀ ହାସଲ କରିଥିଲା।ଖେଳର ଶେଷ ଆଡକୁ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା। ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ୭ ଓ୍ଵିକେଟ୍ ହରାଇ ୨୬୪ ରନ ଇନିଂସ ସମାପ୍ତି ଘୋଷଣା କରିଥିଲା ଏବଂ ପାକିସ୍ତାନ ସମ୍ମୁଖରେ ରହିଥିଲା ୩୪୩ ରନର ବିଜୟ ଲକ୍ଷ୍ୟ। ଜବାବରେ ପାକିସ୍ତାନ ୨୬୮ ରନରେ ଅଲଆଉଟ୍ ହୋଇଛି।
ରାଓ୍ଵଲପିଣ୍ଡିରେ ରେକର୍ଡ
ଏହି ଟେଷ୍ଟ ମ୍ୟାଚ୍ରେ ରନର ପାହାଡ ଦେଖିବାକୁ ମିଳିଛି। ପାଞ୍ଚ ଦିନର ଖେଳରେ ମୋଟ୍ ୧୭୬୮ ରନ ହୋଇଛି। ମୋଟ୍ ୩୮୮.୫ ଓଭର ଖେଳା ଯାଇଛି। ଏହା ପୂର୍ବରୁ କେବଳ ଦୁଇଟି ଥର ଟେଷ୍ଟରେ ସର୍ବାଧିକ ରନ ହୋଇଛି। ସର୍ବ ପ୍ରଥମେ ୧୯୩୦ରେ ଓ୍ଵେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ମଧ୍ୟରେ କିଙ୍ଗଷ୍ଟନରେ ଖେଳାଯାଇଥିବା ମ୍ୟାଚ୍ରେ ୧୮୧୫ ରନ ହୋଇଥିଲା। ପୁଣି ୧୯୩୯ରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନ ଟେଷ୍ଟରେ ୧୯୮୧ ରନ ହୋଇଥିଲା। ଆଉ ଏହି ସବୁ ମ୍ୟାଚ୍ରେ ଇଂଲଣ୍ଡ ଦଳ ରହିଛି।