scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହିରୋ ସାଜିଲେ ବେନ ଷ୍ଟୋକ୍ସ, ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇ ଟ୍ଵେଣ୍ଟି-୨୦ ବିଶ୍ଵ କପ୍‌ ୨୦୨୨ ଜିତିଲା ଇଂଲଣ୍ଡ

13/11/2022 at 5:08 PM

ମେଲବର୍ଣ୍ଣ: ପୁଣି ଥରେ ଫାଇନାଲ୍‌ ମ୍ୟାଚ୍‌ରେ ବେନ ଷ୍ଟୋକ୍ସଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ। ଟ୍ଵେଣ୍ଟି-୨୦ ବିଶ୍ଵ କପ୍‌ ୨୦୨୨ରେ ଇଂଲଣ୍ଡକୁ କରାଇଲେ ଚାମ୍ପିଅନ। ଦ୍ଵିତୀୟ ଥର କ୍ରିକେଟ୍‌ର ସବୁଠୁ ଛୋଟ ଫର୍ମାଟ୍‌ର ବିଶ୍ଵ କପ୍ ଟାଇଟଲ୍ ଜିତିବାରେ ସଫଳ ହୋଇଛି ବଟଲର ବାହିନୀ। ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ବୋଲର ଏବଂ ବେନ ଷ୍ଟୋକ୍ସଙ୍କ ଚମତ୍କାର ପ୍ରଦର୍ଶନ ଦମରେ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇଛି ଇଂଲଣ୍ଡ। ପାକିସ୍ତାନର ଦ୍ଵିତୀୟ ଥର ଟାଇଟଲ୍ ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି। ୨୦୧୦ ଟି-୨୦ ବିଶ୍ଵ କପ୍‌ରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ଚାମ୍ପିଅନ ହୋଇଥିଲା। ଇଂଲଣ୍ଡ ତୃତୀୟ ଥର ଫାଇନାଲ୍‌ ଖେଳିଥିବା ବେଳେ ଟି-୨୦ ବିଶ୍ଵ କପ୍ ୨୦୨୨କୁ ମିଶାଇ ଦୁଇ ଥର ଚାମ୍ପିଅନ ହୋଇଛି।୨୦୧୬ରେ ଇଂଲଣ୍ଡ ଫାଇନାଲ୍‌ରେ ଓ୍ଵେଷ୍ଟଇଣ୍ଡିଜ ନିକଟରୁ ହାରିଥିଲା।  ଅନ୍ୟପଟେ ୨୦୦୯ ଟି-୨୦ ବିଶ୍ଵ କପ୍ ବିଜେତା ଦଳ ପାକିସ୍ତାନ ତୃତୀୟ ଥର ଫାଇନାଲ୍‌କୁ ପ୍ରବେଶ କରିଥିଲେ ହେଁ ଦୁଇ ଥର ନିରାଶ ହେବାକୁ ପଡିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ ଯୋଗୁଁ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୭ ରନ କରିଥିଲା। ଦଳ ପକ୍ଷରୁ ମାସୁଦ ସର୍ବାଧିକ ୩୮ ରନ କରିଥିବା ବେଳେ ଅଧିନାୟକ ବାବର ଆଜମ ୩୨ ରନ କରିଥିଲା। ଇଂଲଣ୍ଡ ପକ୍ଷରୁ ସାମ କରନ ମାତ୍ର ୧୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ଜବାବରେ ଇଂଲଣ୍ଡ ୧୯ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବେନ ଷ୍ଟୋକ୍ସଙ୍କ ଅପରାଜିତ  ୫୨ ରନ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଅଧିନାୟକ ଜୋସ୍ ବଟଲର ୨୬ ରନ କରିଥିଲେ। ଏହା ପୂର୍ବରୁ ୨୦୧୯ ଦିନିକିଆ ବିଶ୍ଵ କପ୍‌ରେ ବି ବେନ ଷ୍ଟୋକ୍ସ ଅବିଶ୍ଵସନୀୟ ବ୍ୟାଟିଂ କରି ଦଳକୁ ପ୍ରଥମ ଥର ବିଶ୍ଵ କପ୍ ଜିତାଇଥିଲେ।

୧୩୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡକୁ ଆରମ୍ଭରୁ ଝଟକା ଲାଗିଥିଲା। ଆଲେକ୍ସ  ହେଲ୍ସ(୧) ବିଦାୟ ନେଇଥିଲେ। ପାକିସ୍ତାନ ବୋଲର ଇଂଲଣ୍ଡର ବ୍ୟାଟସମ୍ୟାନଙ୍କ ଉପରେ ଚାପ ପକାଇବାରେ ସଫଳ  ହୋଇଥିଲେ। ୩୨ ରନ ସ୍କୋରରେ ଇଂଲଣ୍ଡ ଫିଲ ସଲ୍ଟ(୧୦)ଙ୍କ ରୂପେ ଦ୍ଵିତୀୟ ଓ୍ଵିକେଟ୍ ହରାଇଥିଲା। ଭଲ ବ୍ୟାଟିଂ କରୁଥିବା ଅଧିନାୟକ ବଟଲର ଆଉଟ୍ ହେବା ଇଂଲଣ୍ଡକୁ ବଡ ଝଟକା ଲାଗିଥିଲା। ବଟଲର ୧୭ ବଲ୍‌ରୁ ୩ ଚୌକା ଏବଂ ୧ ଛକା ସହ ୨୬ ରନ କରି ପାଭିଲିୟନ ଫେରିଥିଲେ। ବେନ ଷ୍ଟୋକ୍ସ ଏବଂ ହାରି ବ୍ରୁକ କିଛି ସମୟ ଇନିଂସ ସମ୍ଭାଳିଥିଲେ। ତେବେ ବ୍ରୁକ ବ୍ୟକ୍ତିଗତ ୨୦ ରନରେ ଆଉଟ୍ ହୋଇଥିଲେ। ସାମ କରନ ଉଭୟ ପ୍ଲେୟାର ଅଫ ଦ ମ୍ୟାଚ୍ ଏବଂ ପ୍ଲେୟାର ଅଫ ଦ ସିରିଜ୍ ଜିତିବାରେ ସଫଳ ହୋଇଛନ୍ତି।

୮୪ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡିଥିବା ଇଂଲଣ୍ଡ ଇନିଂସକୁ ସମ୍ଭାଳିଥିଲେ ବେନ ଷ୍ଟୋକ୍ସ ଏବଂ ମୋଇନ ଅଲ୍ଲୀ। ପାକିସ୍ତାନ ବୋଲର ମଧ୍ୟ ଭଲ ବୋଲିଂ କରି ମ୍ୟାଚ୍‌କୁ ରୋମାଞ୍ଚକର ସ୍ଥିତିକୁ ଆଣିଥିଲେ। ତେବେ କ୍ରିଜରେ ସେଟ୍ ହେବା ପରେ ଷ୍ଟୋକ୍ସ ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟମସ୍ୟାନ ଧୈର୍ଯ୍ୟର ସହ ବ୍ୟାଟିଂ କରି ପଞ୍ଚମ ଓ୍ଵିକେଟ୍‌ରେ ୪୮ ରନ ଯୋଡି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ମୋଇନ ଅଲ୍ଲୀ  ୧୩ ବଲ୍‌ରୁ ୧୯ ରନ କରି ଆଉଟ୍ ହୋଇଥିଲେ। ୨୦୧୯ ଦିନିକିଆ ବିଶ୍ଵ କପ୍ ପରି ବେନ ଷ୍ଟୋକ୍ସ ଦଳ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ।ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଛନ୍ତି। ୧୯ ଓଭରରେ ଇଂଲଣ୍ଡ ୫ ଓ୍ଵିକେଟ୍ ହରାଇ ୧୩୮ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।ଷ୍ଟୋକ୍ସ ୪୯ ବଲ୍‌ରୁ ୫ ଚୌକା ଏବଂ ୧ ଛକା ସହ ୫୨ ରନର ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ପାକିସ୍ତାନ ପକ୍ଷରୁ ହାରିସ ରାଉଫ ୨୩ ରନରେ ୨ ସଫଳତା ପାଇଥିବା ବେଳେ ସାହିନ ଶାହ ଆଫ୍ରିଦି, ଶାଦାବ ଖାନ ଏବଂ ମହମ୍ମଦ ଓ୍ଵାସିମ ଜୁନିୟର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ପାକିସ୍ତାନ ଇନିଂସ

ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୧ ଓଭର ପର୍ଯ୍ୟନ୍ତ ଭଲ ବ୍ୟାଟିଂ କରିଥିଲେ ହେଁ ଶେଷ ଆଡକୁ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ବଡ ସ୍କୋର କରିବାରେ ବିଫଳ ହୋଇଥିଲା। ଶେଷ ୫ ଓଭରରେ ପାକିସ୍ତାନ ମାତ୍ର ୩୦ ରନ କରିବା  ହିଁ ଦଳକୁ ବ୍ୟାକଫୁଟ୍‌କୁ ଠେଲିଥିଲା। ଆରମ୍ଭରୁ ମହମ୍ମଦ ରିଜଓ୍ଵାନ ୧୫ ରନ କରିଥିବା ବେଳେ ମହମ୍ମଦ ହାରିସ ୮ ରନ କରି ଆଉଟ୍ ହୋଇଥିଲେ। ବାବର ଆଜମ ୩୨ ରନ କରିଥିଲେ ହେଁ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ମଧ୍ୟ କ୍ରମରେ ମାସୁଦ ୨୮ ବଲ୍‌ରୁ ୩୮ ରନର ଦ୍ରୁତ ଇନିଂସ ଖେଳିଥିଲେ। ଶାଦାବ ଖାନ ୨୦ ରନ କରିଥିଲେ ହେଁ ନିମ୍ନ ଭାଗରେ ବ୍ୟାଟସମ୍ୟାନ ଦୁର୍ବଳ ବ୍ୟାଟିଂ କରି ନିୟମିତ ଓ୍ଵିକେଟ୍ ହରାଇଥିଲେ। ଫଳରେ ପାକିସ୍ତାନ ଏକଦା ୧୧.୧ ଓଭରରେ ୩ ଓ୍ଵିକେଟ୍ ହରାଇ ୮୪ ରନ କରିଥିବା ପାକିସ୍ତାନ ଶେଷରେ ୮ ଓ୍ଵିକେଟ୍ ହରାଇ ୧୩୭ ରନ କରିଥିଲା। ପାକିସ୍ତାନ ପକ୍ଷରୁ ସାମ କରନ ୪ ଓଭରରେ ୧୨ ରନ ଦେଇ ୩ଟି ସଫଳତା ପାଇଥିଲେ। ଆଦିଲ ରସିଦ ୨୨ ରନ ଦେଇ ୨ ଏବଂ କ୍ରିସ୍ ଜୋର୍ଡାନ ୨୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।

 

   Related Posts