ଚଳିତ ବିଶ୍ୱକପ୍ ରେ ଭାରତର ପ୍ରଥମ ପରାଜୟ, ଇଂଲଣ୍ଡ ଠାରୁ ୩୧ ରନ୍ ରେ ହାରିଲା ଭାରତ, ରୋହିତ ଶର୍ମାଙ୍କ ଶତକ ହେଲା ବେକାର

Published By : Prameya-News7 Bureau | June 30, 2019 IST

ଏଜବେଷ୍ଟନ: ଭାରତ ଚଳିତ ବିଶ୍ୱକପ୍ ର ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି। ଇଂଲଣ୍ଡ ଠାରୁ ୩୧ ରନରେ ପରାସ୍ତ ହୋଇଛି। କମଳା ଓ ନିଳ ରଙ୍ଗର ନୂଆ ଜର୍ସି ଭାରତୀୟ ଦଳ ପାଇଁ ଅନଲକି ସାବ୍ୟସ୍ତ ହୋଇଛି। ରବିବାର ଇଂଲଣ୍ଡ ଟସ୍ ଜିତି ପ୍ରଥମ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ଇଂଲଣ୍ଡ ୩୩୭ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ପ୍ରଥମରୁ ହିଁ ଧିମା ଖେଳିଥିଲା। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ କରିଛି ୩୦୬ । ବିଶ୍ୱକପ୍ ରେ ପ୍ରଥମ ଥର ଶତକ ଲଗାଇଥିବା ଇଂଲଣ୍ଡ ବ୍ୟାଟସ୍ ମ୍ୟାନ୍ ଜନି ବେୟାରଷ୍ଟୋଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଛି

ଭାରତୀୟ ବ୍ୟାଟ୍ସ ମ୍ୟାନମାନଙ୍କ ମଧ୍ୟରେ ରୋହିତ ଶର୍ମା ୧୦୬ଟି ବଲରେ ୧୦୨ ରନ୍ ସଂଗ୍ରହ କରିଥିଲେ। ଏଥିରେ ୧୫ଟି ଚୌକା ସାମିଲ ଥିଲା। ଅଧିନାୟକ ବିରାଟ କୋହଲୀ ରବିବାର ଅର୍ଦ୍ଧ ଶତକ ହାସଲ କରିଥିଲେ ମଧ୍ୟ ତାକୁ ଶତକରେ  ରୂପାନ୍ତରିତ କରିପାରିନଥିଲେ। କୋହଲୀ ମାତ୍ର ୬୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେହିଭଳି  ବିଜୟ ଶଙ୍କରଙ୍କ ଜାଗାରେ ଆଜି ଖେଳୁଥିବା ଋଷଭ ପନ୍ଥ ମଧ୍ୟ ବିଶେଷ କମାଲ ଦେଖାଇ ପାରିନଥିଲେ। ୨୯ଟି ବଲରୁ ମାତ୍ର ୩୨ ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧର ବ୍ୟାଟିଂ କରିବା ପାଇଁ ଉଦ୍ୟମ କରିଥିଲେ। ତେବେ ୩୩ ବଲରୁ ୪୫ ରନ୍ କରି ଆଉଟ୍ ହୋଇଯାଇଥିଲେ।

ମହେନ୍ଦ୍ର ସିଂ ଧୋନୀ ଖେଳିବାକୁ ଆସିବା ବେଳକୁ ଓଭର ପିଛା ୧୩ ରନ ଆବଶ୍ୟକ ପଡୁଥିଲା। ଏହାକୁ ଚେଜ୍ କରିବା ସହଜ ନଥିଲେ ମଧ୍ୟ ଧୋନୀ ୩୧ଟି ବଲରୁ ୪୨ ରନ କରି ନଟ୍ ଆଉଟ୍ ରହିଥିଲେ।  ସେହିପରି କେଦାର ଯାଦବ ୧୩ବଲରୁ ୧୨ ରନ କରିଥିଲେ। ଆଜି ଇଂଲଣ୍ଡଦଳ ପ୍ରଥମରୁ ହିଁ ଆକ୍ରମଣାତ୍ମକ ଖେଳିଥିଲେ। ଅପରପକ୍ଷରେ ପ୍ରଥମରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ୯ଟି ଖେଳି କେ.ଏଲ. ରାହୁଲ ଶୁନରେ ଆଉଟ୍ ହୋଇଯାଇଥିଲେ। ଏହା ପରେ ରୋହିତ ଶର୍ମା ଓ କୋହଲି ଭଲ ଷ୍ଟାଣ୍ଡ ଦେଇଥିଲେ ମଧ୍ୟ ରନ ସଂଗ୍ରହ ଅତ୍ୟନ୍ତ ଧିମା ରହିଥିଲା। । ଯାହା ପରବର୍ତ୍ତି ବ୍ୟାଟ୍ସମ୍ୟାନମାନଙ୍କ ପାଇଁ ଅସୁବିଧାର କାରଣ ହୋଇଥିଲା।  

ରବିବାର ମ୍ୟାଚ୍ ରେ ଭାରତ ପକ୍ଷରୁ ମହମ୍ମଦ ଶାମୀ ୧୦ ଓଭରରେ ୬୯ ରନ୍ ଦେଇ ସର୍ବାଧିକ ୫ଟି ୱିକେଟ୍ ହାସଲ କରିଛନ୍ତି। ସେହିପରି ବୁମରାହ ୧୦ ଓଭରରେ ୪୪ ରନ ଦେଇ ଗୋଟିଏ ୱିକେଟ୍ ପାଇଛନ୍ତି। କୂଲଦୀପ ଯାଦବ ୧୦ ଓଭରରେ ୭୨ ରନ ଦେଇ ଗୋଟିଏ ୱିକେଟ୍ ହାସଲ କରିଥିଲେ। ୟୁଜବେନ୍ଦ୍ର ଚହଲ ୧୦ ଓଭରରେ ୮୮ ରନ ଦେଇଥିଲେ ହେଁ ଗୋଟିଏ ବି ୱିକେଟ ପାଇ ନାହାନ୍ତି। ପାଣ୍ଡ୍ୟା ମଧ୍ୟ ୧୦ ଓଭରରେ ବିନା ୱିକେଟ୍ ରେ ୬୦ ରନ୍ ଦେଇ ଛନ୍ତି। ଅପରପକ୍ଷେ ଇଂଲଣ୍ଡ ପକ୍ଷରୁ ଜସନ ରୟ-୬୬, ଜନ ବେୟାରଷ୍ଟୋ-୧୧୧, ରୁଟ୍-୪୪, ମୋର୍ଗାନ-୧, ଷ୍ଟୋକ୍ସ-୭୯, ବଟଲର-୨୦, ୱକସ୍-୭ ଓ ପ୍ଲଙ୍କଟ-୧ ରନ କରିଥିଲେ। ଇଂଲଣ୍ଡର ୱକ୍ସ-୨ଟି ଓ ପ୍ଲଙ୍କଟ ସର୍ବାଠିକ ୩ଟି ୱିକେଟ୍ ହାସଲ କରଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.