ସମସ୍ତଙ୍କୁ ଚମକାଇ ଦେଇ ହଠାତ୍ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା ଏହି ଷ୍ଟାର୍ ବ୍ୟାଟର

Published By : Prameya-News7 Bureau | August 04, 2023 IST

ଲଣ୍ଡନ: ସମସ୍ତଙ୍କୁ ଚମକାଇ ଦେଇ ହଠାତ୍ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କଲେ ଇଂଲଣ୍ଡର ୩୪ ବର୍ଷୀୟ ଷ୍ଟାର ଓପନର ଆଲେକ୍ସ ହେଲ୍ସ। ଆଲେକ୍ସ ଶୁକ୍ରବାର(ଅଗଷ୍ଟ ୪)ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ କରି ହେଲ୍ସ ଲେଖିଛନ୍ତି “ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଦେଶ ପାଇଁ ତିନୋଟି ଫର୍ମାଟରେ ୧୫୬ ଟି ମ୍ୟାଚ୍ ଖେଳିବା ମୋ ପାଇଁ ଗର୍ବର ବିଷୟ।”

ସନ୍ନ୍ୟାସ ଘୋଷଣା ସହିତ ଆଲେକ୍ସ ଅନ୍ତର୍ଜାତୀୟ କ୍ରିକେଟର କ୍ୟାରିୟର ଅଧିକ ଦିନ ପର୍ଯ୍ୟନ୍ତ ରହିଲା ନାହିଁ। ତେବେ ଟି-୨୦ ଫର୍ମାଟ୍‌ରେ ତାଙ୍କର ଭୂମିକା ଇଂଲଣ୍ଡ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା।

wp:html
/wp:html

ପଢ଼ନ୍ତୁ-ଆର୍‌ସିବିର ମୁଖ୍ୟ ଖୋଚ୍ ପଦରୁ ସଞ୍ଜୟ ବାଙ୍ଗର ବିଦା, ଆଣ୍ଡି ଫ୍ଲାୱର ହେଲେ ନିଯୁକ୍ତ

୨୦୧୧ରେ ଇଂଲଣ୍ଡ ଟିମ୍‌ ପାଇଁ ଡେବ୍ୟୁ ଥିବା ହେଲ୍ସ ଦୀର୍ଘ ୧୨ ବର୍ଷ କ୍ରିକେଟ ଖେଳିବା ପରେ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହି ୧୨ ବର୍ଷ ମଧ୍ୟରେ ସେ ୧୧ ଟି ଟେଷ୍ଟ, ୭୦ ଟି ଦିନିକିଆ ଏବଂ ୭୫ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଡାହାଣହାତୀ ବ୍ୟାଟର ଆଲେକ୍ସ ହେଲ୍ସ ୩ଟି ଫର୍ମାଟ୍‌ରେ ଯଥାକ୍ରମେ ୫୭୩, ୨୪୧୯ ଏବଂ ୨୦୭୪ ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରୁ ୭ଟି ଶତକ ଓ ୩୧ ଅର୍ଦ୍ଧଶତକ ରହିଛି।

ହେଲ୍ସ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ ମୁଁ ମୋ ସମୟରେ ଏମିତି କିଛି ବନ୍ଧୁ ଓ ସ୍ମୃତି ଖୋଜି ପାଇଛି ଯାହା ମୋ ସହିତ ଜୀବନସାରା ରହିବ। ଏବେ ସମୟ ଆସିଛି, ଏହି ଠାରୁ ମୋତେ ଆଗକୁ ବଢ଼ିବାକୁ ହେବ। ସେଥିପାଇଁ ମୁଁ ମୋର ଅବସର ଘୋଷଣା କରିଛି ବୋଲି ଆଲେକ୍ସ ହେଲ୍ସ କହିଛନ୍ତି। ସୂଚନା ଥାଉକି ୨୦୨୨ରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି -୨୦ ବିଶ୍ୱକପରେ ଆଲେକ୍ସ ହେଲ୍ସ ଇଂଲଣ୍ଡକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.