ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ, ୨୪୬ ରନରେ ଇଂଲଣ୍ଡ ଅଲଆଉଟ୍, ଚହଲଙ୍କୁ ୪ ଓ୍ଵିକେଟ୍

Published By : Prameya-News7 Bureau | July 14, 2022 IST

ଲର୍ଡ୍ସ: ପୁଣି ଥରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ। ଐତିହାସିକ ଲର୍ଡ୍ସ ମଇଦାନରେ ଖେଳାଯାଉଥିବା ଦ୍ଵିତୀୟ ଦିନିକିଆରେ ଇଂଲଣ୍ଡ ୪୯ ଓଭରରେ ୨୪୬ ରନରେ ଅଲଆଉଟ୍ ହୋଇଛି। ଭାରତକୁ ଜିତିବା ପାଇଁ ୨୪୭ ରନ ଦରକାର। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ କାରଣରୁ ଇଂଲଣ୍ଡ ବିଶାଳ ସ୍କୋର କରି ପାରିନାହିଁ। ଟର୍ପ ଅର୍ଡର ବ୍ୟାଟସମ୍ୟାନଙ୍କ ବିଫଳତା ସତ୍ତ୍ଵେ ନିମ୍ନ କ୍ରମରେ ମୋଇନ ଅଲ୍ଲୀଙ୍କ ୪୭ ଏବଂ ଡେଭିଡ୍ ଓ୍ଵିଲିଙ୍କ ୪୧ ରନ ବଳରେ ଘରୋଇ ଦଳ ୨୪୭ ରନର ସମ୍ମାନଜନକ ସ୍କୋର କରି ପାରିଛି। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡର ଦୁଇ ଓପନର ଜୋନି ବେୟାରଷ୍ଟୋ ଏବଂ ଜାସନ ରୟ ୪୧ ରନ ଯୋଡିଥିଲେ। ଜାସନ ରୟ(୨୩)ଙ୍କୁ ଆଉଟ୍ କରି ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଦଳ ୧୦୨ ରନରେ ଅଧା ଓ୍ଵିକେଟ୍ ହରାଇଥିଲା। ଭଲ ଆରମ୍ଭ କରିଥିବା ଜୋନି ବେୟାରଷ୍ଟୋ ୬ ଚୌକା ସହ ୩୮ ରନ କରି ଆଉଟ୍ ହୋଇଥିଲେ। ସେ ଚହଲଙ୍କ ବଲରେ ବୋଲ୍ଡ ହୋଇଥିଲେ। ଜୋ ରୁଟ୍(୧୧ରନ) ପୁଣି ଦଳକୁ ନିରାଶ କରିଥିଲେ। ଜୋସ୍ ବଟଲର(୪ ରନ) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ବେନ ଷ୍ଟୋକ୍ସ(୨୧ ରନ) ଭଲ ଆରମ୍ଭ କରିଥିଲେ ହେଁ ଚହଲଙ୍କ ତୃତୀୟ ଶିକାର ହୋଇଥିଲେ।

ଏହା ପରେ ମୋଇଲ ଅଲ୍ଲୀ ଏବଂ ଲିୟାମ ଲିଭିଙ୍ଗଷ୍ଟୋନ ଷଷ୍ଠ ଓ୍ଵିକେଟରେ ୪୬ ରନ ଯୋଡିଥିଲେ। ଲିଭିଙ୍ଗଷ୍ଟୋନ ୨ଟି ଚୌକା ଏବଂ ୨ଟି ଛକା ସହ ୩୩ ରନ କରିଥିଲେ। ମୋଇନ ଏବଂ ଡେଭିଡ୍ ଓ୍ଵିଲି ଭାରତୀୟ ବୋଲରଙ୍କ ମୁକାବିଲା କରି ସପ୍ତମ ଓ୍ଵିକେଟରେ ୬୨ ରନ ଯୋଡି ଦଳର ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ। ମୋଇନ ଅଲ୍ଲୀ ବଡ ସଟ୍ ଖେଳିବାକୁ ଯାଇ ଚହଲଙ୍କ ଚତୁର୍ଥ ଶିକାର ହୋଇଥିଲେ। ଶେଷ ଆଡକୁ ଡେଭିଡ୍ ଓ୍ଵିଲି ୪୧ ରନର ଉପଯୋଗୀ ଇନିଂସ ଖେଳିଥିଲେ। ରିସେ ଟୋପଲେଙ୍କୁ ବୋଲ୍ଡ କରି ବୁମରା ଇଂଲଣ୍ଡ ଇନିଂସର ଅନ୍ତ ଘଟାଇଥିଲେ। ଶେଷରେ ଇଂଲଣ୍ଡ ୪୯ ଓଭରରେ ୨୪୬ ରନରେ ଅଲଆଉଟ୍ ହୋଇଛି।

ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪୭ ରନ ଦେଇ ସର୍ବାଧିକ ୪ ସଫଳତା ପାଇଛନ୍ତି। ଯଶପ୍ରୀତ ବୁମରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ମହମ୍ମଦ ଶାମି ଏବଂ ପ୍ରସିଦ୍ଧ କୃଷ୍ଣାଙ୍କୁ  ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.