ନୂଆଦିଲ୍ଲୀ: ଇଂଲଣ୍ଡ ପାକିସ୍ତାନଠୁ ୧୯୯୨ ବିଶ୍ଵ କପ୍ର ପ୍ରତିଶୋଧ ନେବାରେ ସଫଳ ହୋଇଛି। ୧୯୯୨ ଦିନିକିଆ ବିଶ୍ଵ କପ୍ ଫାଇନାଲ୍ରେ ପାକିସ୍ତାନ ଏହି ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଇଂଲଣ୍ଡକୁ ହରାଇ ପ୍ରଥମ ଥର ଦିନିକିଆ ବିଶ୍ଵ କପ୍ ଜିତିଥିଲା। ଏବେ ୩୦ ବର୍ଷ ପରେ ଇଂଲଣ୍ଡ ପାକିସ୍ତାନକୁ ସେହି ମେଲବର୍ଣ୍ଣରେ ହିଁ ହରାଇ ମଧୁର ପ୍ରତିଶୋଧ ନେଇଛି। ଟି-୨୦ ବିଶ୍ଵ କପ୍ ୨୦୨୨ରେ ଇଂଲଣ୍ଡ ପାକିସ୍ତାନକୁ ୫ ଓ୍ଵିକେଟ୍ରେ ହରାଇ ଦ୍ଵିତୀୟ ଥର ବିଶ୍ଵ କପ୍ ଜିତିବାରେ ସଫଳ ହୋଇଛି।
୧୯୯୨ ଦିନିକିଆ ବିଶ୍ଵ କପ୍ରେ ପାକିସ୍ତାନର ଅଧିନାୟକ ଥିଲେ ଇମ୍ରାନ ଖାନ ଏବଂ ଇଂଲଣ୍ଡର ଥିଲେ ଗ୍ରାହାମ ଗୁଚ୍। ଫାଇନାଲ୍ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୬ ଓ୍ଵିକେଟ୍ ହରାଇ ୨୪୯ ରନ କରିଥିଲା। ଇମ୍ରାନ ଖାନ ୭୨ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ଜାଭେଦ ମିଆଁଦାଦ ୫୮, ଇଞ୍ଜାମାମ ଉଲ ହକ ୪୨ ଏବଂ ସଲିମ ମଲିକ ୩୩ ରନ କରିଥିଲା। ଜବାବରେ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ ୪୯.୨ ଓଭରରେ ୨୨୭ ରନରେ ଅଲଆଉଟ୍ ହୋଇଥିଲା। ନିଲ୍ ଫେୟାରବ୍ରୋଦର ସର୍ବଧିକ ୬୨ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଗ୍ରାହାମ ଗୁଚ୍ ୬୬ ବଲ୍ରୁ ୨୯ ରନର ଧିମା ଇନିଂସ ଖେଳିଥିଲେ। ଏହି ପରି ପାକିସ୍ତାନ ୧୯୯୨ ବିଶ୍ଵ କପ୍ ଜିତି ଇଂଲଣ୍ଡର ସ୍ଵପ୍ନ ଧୂଳିସାତ କରିଥିଲା। ଏହାର ୩୦ ବର୍ଷ ପରେ ଇଂଲଣ୍ଡ ପାକିସ୍ତାନକୁ ହରାଇ ମଧୁର ପ୍ରତିଶୋଧ ନେଇ ପାରିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ ଯୋଗୁଁ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୭ ରନ କରିଥିଲା। ଦଳ ପକ୍ଷରୁ ମାସୁଦ ସର୍ବାଧିକ ୩୮ ରନ କରିଥିବା ବେଳେ ଅଧିନାୟକ ବାବର ଆଜମ ୩୨ ରନ କରିଥିଲା। ଇଂଲଣ୍ଡ ପକ୍ଷରୁ ସାମ କରନ ମାତ୍ର ୧୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ଜବାବରେ ଇଂଲଣ୍ଡ ୧୯ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବେନ ଷ୍ଟୋକ୍ସଙ୍କ ଅପରାଜିତ ୫୨ ରନ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଅଧିନାୟକ ଜୋସ୍ ବଟଲର ୨୬ ରନ କରିଥିଲେ। ଏହା ପୂର୍ବରୁ ୨୦୧୯ ଦିନିକିଆ ବିଶ୍ଵ କପ୍ରେ ବି ବେନ ଷ୍ଟୋକ୍ସ ଅବିଶ୍ଵସନୀୟ ବ୍ୟାଟିଂ କରି ଦଳକୁ ପ୍ରଥମ ଥର ବିଶ୍ଵ କପ୍ ଜିତାଇଥିଲେ।
ଇଂଲଣ୍ଡ ଟି-୨୦ ଫର୍ମାଟରେ ଦ୍ଵିତୀୟ ଥର ବିଶ୍ଵ ବିଜେତା ହୋଇଛି। ଏହା ପୂର୍ବରୁ ୨୦୨୦ରେ ଦଳ ଚାମ୍ପିଅନ ହୋଇଥିଲା। ସେହି ସମୟରେ ଦଳର ଅଧିନାୟକ ଥିଲେ ପଲ୍ କଲିଙ୍ଗଉଡ। ସର୍ବମୋଟ୍ ଇଂଲଣ୍ଡର ଏହା ତୃତୀୟ ବିଶ୍ଵ କପ୍ ଟାଇଟଲ୍। ୨୦୧୯ରେ ଇଂଲଣ୍ଡ ଦିନିକିଆ ବିଶ୍ଵ କପ୍ ଜିତିଥିଲା। ପାକିସ୍ତାନର ଏହା ତୃତୀୟ ଫାଇନାଲ୍ ଥିଲା। ୨୦୦୭ ପ୍ରଥମ ଟି-୨୦ ବିଶ୍ଵ କପ୍ରେ ପାକିସ୍ତାନ ଭାରତ ହାତରୁ ପରାଜିତ ହୋଇଥିଲା। ପୁଣି ୨୦୦୯ରେ ଦଳ ଚାମ୍ପିଅନ ହୋଇଥିଲା। ଏବେ ୨୦୨୨ରେ ଦଳକୁ ଆଉ ଥରେ ପରାଜୟର ମୁହଁ ଦେଖିବାକୁ ପଡିଛି।