କରୋନା ପାଇଁ ହାତ ମିଳାଇବାକୁ ଡରୁଛନ୍ତି ଇଂଲଣ୍ଡ ଖେଳାଳି, ନୂଆ ଉପାୟ କହିଲେ ରୁଟ୍
3/03/2020 at 4:07 PM

ଲଣ୍ଡନ ମାର୍ଚ୍ଚ ୦୩: ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟ୍ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଶ୍ରୀଲଙ୍କା ଗସ୍ତରେ କାହା ସହ ହାତ ମିଳାଇବେ ନାହିଁ ବୋଲି କହିଛନ୍ତି। କରୋନା ଭାଇରସକୁ ନେଇ ରୁଟଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି। ଇଂଲଣ୍ଡ ଟେଷ୍ଟ୍ ସିରିଜ ପାଇଁ ଶ୍ରୀଲଙ୍କା ଗସ୍ତ କରିବ। ହାତ ମିଳାଇବା ବଦଳରେ ଇଂଲିସ ଖେଳାଳି କେବଳ ଅଭିବାଦନ ଜଣାଇବେ ବୋଲି ସେ କହିଛନ୍ତି।

ନିକଟରେ ଦକ୍ଷିଣ ଆଫ୍ରିକା ଗସ୍ତର ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦଳର ଅନେକ ସଦସ୍ୟ ପେଟଜନିତ ଓ ଫ୍ଲୁ ସମସ୍ୟାରେ ପଡିଥିଲେ। ଏବେ ସେମାନେ ଅଧିକ ସଚେତନ ହୋଇପଡିଛନ୍ତି। ଏପରିକି ଦଳର ମେଡିକାଲ ଟିମ୍ ବିଭିନ୍ନ ରୋଗରୁ ବର୍ତ୍ତିବା ପାଇଁ ସେମାନଙ୍କୁ ନୂଆ ପରାମର୍ଶ ଦେଇଛି।

ରୁଟ୍ କହିଛନ୍ତି ଯେ, ସେ ଅନ୍ୟ ଖେଳାଳିଙ୍କ ସହ କରମର୍ଦ୍ଦନ କରିବେ ନାହିଁ। କେବଳ ହାତକୁ ସ୍ପର୍ଶ କରିବେ ଓ ନିୟମିତ ଭାବେ ହତ ସଫା କରିବେ। ସାରା ବିଶ୍ୱରେ କରୋନା ପାଇଁ ୩୦୦୦ରୁ ଅଧିକ ଜଣ ପ୍ରାଣ ହରାଇସାରିଛନ୍ତି।