ପ୍ରେମିକା ପରିବାରର ନିର୍ଯାତନା ସହି ନପାରି ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ର, ସାଙ୍ଗ ଓ ପରିବାରଲୋକେ ଆଣିଲେ ଅଭିଯୋଗ

Published By : Prameya-News7 Bureau | October 08, 2021 IST

କଟକ ୮।୧୦: ବ୍ରେକ୍ ଅପ୍ ପରେ ପ୍ରେମିକାର ବ୍ଲାକ୍ ମେଲିଂ ଅଭିଯୋଗ । ପୁଣି ନିଜ ଭାଇଙ୍କ ଦ୍ବାରା ପ୍ରେମିକକୁ ମାଡ଼ ମାରିବା ଭଳି ସଙ୍ଗୀନ ଘଟଣା । ଆପମାନ ଓ ନିର୍ଯାତନା ସହି ନପାରି ଜଣେ ଇଞ୍ଜିନିୟରିଂ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏପରି ଉଭୟଙ୍କର ଅଭିଯୋଗ ହୋଇଛି । ମୃତ ଛାତ୍ର ଜଣଙ୍କ ହେଲେ ପାରାଦୀପ ଅଞ୍ଚଳର ଶ୍ରୀତମ ସ୍ବାଇଁ । ଶୁକ୍ରବାର ଦିନ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶ୍ରୀତମଙ୍କ ମୃତ୍ୟୁ ହୋଇଛି । ଶ୍ରୀତମଙ୍କ ମୃତ୍ୟୁ ପାଇଁ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ଦୋଷାରୋପ କରିଛନ୍ତି ମୃତ ଛାତ୍ରଙ୍କ ପରିବାର ।

ଅଭିଯୋଗ ଅନୁସାରେ, ପ୍ରେମ ବ୍ୟାପାରକୁ ନେଇ ଶ୍ରୀତମଙ୍କର ପ୍ରେମିକା ଓ ତାଙ୍କ ପରିବାର ଲୋକଙ୍କ ସହ ପୂର୍ବରୁ ଝଗଡ଼ା ହୋଇଥିଲା। ପରେ ନିଜ ବାପାଙ୍କ ଦେହ ଖରାପ ଅଛି କହି ଶ୍ରୀତମଙ୍କଠାରୁ ତାଙ୍କ ପ୍ରେମିକା ଦୁଇ ଲକ୍ଷ ଟଙ୍କା ଧାର ନେଇଥିଲେ ବୋଲି ଶ୍ରୀତମଙ୍କ ସାଙ୍ଗ ଅଭିଯୋଗ କରିଛନ୍ତି । ତେବେ ବ୍ରେକ୍ ଅପ୍ ପରେ ଶ୍ରୀମତ୍ ଟଙ୍କା ମାଗିବାରୁ, ଝିଅର ଭାଇ ତାଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ। 

ପୂର୍ବରୁ ମଧ୍ୟ ଥରେ ଆତ୍ମହତ୍ୟାର ଉଦ୍ୟମ କରିଥିଲେ ଶ୍ରୀତମ୍ । ଦୁଇ ଦିନ ତଳେ କଟକର ଏକ ହୋଟେଲ ରୁମ୍ ରେ ଶ୍ରୀତମ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମୂର୍ମୁଷୂ ଅବସ୍ଥାରେ ତାଙ୍କୁ ପୋଲିସ ଓ ସାଙ୍ଗମାନେ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ଶ୍ରୀତମ । ଶୁକ୍ରବାର ସକାଳୁ ତାଙ୍କର ଦେହାନ୍ତ ହୋଇଛି।

ଗୁଣୁପୁର GIET ରେ ତୃତୀୟ ବର୍ଷରେ ପାଠ ପଢୁଥିବା ଶ୍ରୀତମ ଜଣେ ମେଧାବୀ ଛାତ୍ର ଥିଲେ । ସେ ନିଜର ଏକ ପବ୍ଲିସିଂ ଏଜେନ୍ସୀ କରିଥିଲେ । ଶହେରୁ ଉର୍ଦ୍ଧ୍ବ ବହି ପ୍ରକାଶ କରି ଆମାଜନ ଓ ଫ୍ଲିପକାର୍ଟ ଜରିଆରେ ବିକ୍ରି କରୁଥିଲେ । ପରିବାରଲୋକ ଏକମାତ୍ର ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.