ଭଦ୍ରକ ୦୬।୦୭: ଇଞ୍ଜିନିୟରମାନଙ୍କ ପ୍ରଚେଷ୍ଟାରେ ନିର୍ମାଣ ହୋଇଛି ଜଗନ୍ନାଥ ମନ୍ଦିର। ଯେଉଁଠି ରଥଯାତ୍ରା ବେଳେ କେବଳ ଯନ୍ତ୍ରୀ ମାନେ ହିଁ କରନ୍ତି ଛେରାପହଁରା। ଚାକିରି ସମୟରେ ଭଦ୍ରକ ଜିଲ୍ଲା ସାଳନ୍ଦୀ କେନାଲ ଡିଭିଜନ ଇଞ୍ଜିନିୟର ମାନଙ୍କ ଦ୍ବାର ଏଭଳି ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି ।
ଭଦ୍ରକ ଜିଲ୍ଲା ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ୧୯୮୩ ମସିହା ପ୍ରତିଷ୍ଠା ଆରମ୍ଭ ହୋଇଥିଲା । ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନର ସେତେବେଳର ନିର୍ବାହୀ ଯନ୍ତ୍ରୀ ମୁରଲୀଧର ଧଳ ମନ୍ଦିର ପ୍ରତିଷ୍ଠା ଆରମ୍ଭ କରିଥିଲେ । ୨ ବର୍ଷ ପରେ ସମ୍ପୂର୍ଣ୍ଣ ହେଲା ମନ୍ଦିର । ସେବେଠାରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିବା ସହ ରଥଯାତ୍ରା ଆରମ୍ଭ ହୋଇଛି ।
ମନ୍ଦିର ପ୍ରତିଷ୍ଠା ପର ଠାରୁ ଟ୍ରଷ୍ଟ ଗଠନ ସହ ସୁପରିଚାଳନା ପାଇଁ କମିଟି ସ୍ଥିର ହୋଇଛି । ଦୀର୍ଘ ୪୦ ବର୍ଷ ଧରି ହେଉଥିବା ରଥଯାତ୍ରାରେ ବିଭାଗୀୟ ଯନ୍ତ୍ରୀ ନହେଲେ ଇଞ୍ଜିନିୟର ମାନେ ହିଁ ଛେରାପହଁରା କରିବା ନେଇ ବିଧି ରହିଛି । ଏବେ ପର୍ଯ୍ୟନ୍ତ ନୀତିରେ ବିଭ୍ରାଟ ଭଳି ସ୍ଥିତି ଉପୁଜିନାହିଁ । ତେବେ ସ୍ନାନ ପୂର୍ଣ୍ଣମୀ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରାଜା ଭୂମିକାରେ ଥିବା ଯନ୍ତ୍ରୀ ସାତ୍ତ୍ଵିକ ଆହାର ସହ ନୀତିନିୟମରେ ରହିଥାନ୍ତି । ରଥରୁ ବାହୁଡା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ମଧ୍ୟ ହୋଇଥାଏ। ସେବେ ଠାରୁ ଏବେ ପର୍ଯ୍ୟନ୍ତ ଇଞ୍ଜିନିୟର ମାନେ ସହଯୋଗ କରି ପରମ୍ପରାକୁ ବଜାୟ ରଖିଛନ୍ତି।