ଏକତରଫା ପ୍ରେମ କରି ଛେଚା ଖାଇଲେ ଇଞ୍ଜିନିୟର : ଯୁବତୀଙ୍କ ହଷ୍ଟେଲ ଆଗରେ ଉତ୍ପାତ କରୁଥିଲେ, ପିଟିଲେ ସ୍ଥାନୀୟ ଲୋକେ

Published By : Prameya-News7 Bureau | November 30, 2020 IST

କଣିହାଁ,୩୦/୧୧: ଅନୁଗୋଳ ଜିଲ୍ଲା ଏନ୍‌ଟିପିସି ୪ ନମ୍ବର ହଷ୍ଟେଲ୍‌ ସମ୍ମୁଖରେ ରବିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଏଠାରେ ଜଣେ ଯୁବତୀଙ୍କୁ ପ୍ରେମିକା ବୋଲି ଦାବି କରିବା ମହଙ୍ଗା ପଡିଛି ଜୈନିକ ଯୁବ ଇଂଜିନିୟରଙ୍କୁ । ସ୍ଥାନୀୟ ଲୋକ ଇଞ୍ଜିନିୟରଙ୍କୁ ନିର୍ଧୂମ ଛେଚିବା ସହ ପୋଲିସରେ ଅଭିଯୋଗ କରିଛନ୍ତି ।

 ସୂଚନାନୁସାରେ,  ବିହାର ଅଞ୍ଚଳର ରୂପେଶ କୁମାର ନାମକ ଜଣେ ଯୁବକ ଏନଟିପିସିରେ ଇଂଜିନିୟର ଭାବେ କାମ କରୁଥିଲେ । ଗତ ଦୁଇ ମାସ ହେଲା ସେ ଏଠାରୁ ଚାକିରି ଛାଡ଼ି ବେହ୍ଗାଲୁରୁ ଚାଲି ଯାଇଥିଲେ ।  ରବିବାର ଦିନ ସକାଳେ ସେ ଏନଟିପିସି ହଷ୍ଟେଲ୍‌ ସାମ୍ନାକୁ ଆସି ଜଣେ ମହିଳା କର୍ମଚାରୀଙ୍କୁ ନିଜର ପ୍ରେମିକା ବୋଲି ଦାବି କରିଥିଲେ । ହଷ୍ଟେଲ୍‌ ସମ୍ମୁଖରେ ରୂପେଶ ବସି ରହି ପାଟିତୁଣ୍ଡ କରିଥିଲେ । ଫଳରେ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ରୂପେଶ ସେଠାରୁ ନଯିବାରୁ ସୁରକ୍ଷାକର୍ମୀ ତାଙ୍କୁ ବାନ୍ଧି ପକାଇଥିଲେ । କିଛି ସମୟରେ ତାଙ୍କୁ ଖୋଲିଦିଆଯାଇଥିଲା । କିନ୍ତୁ ତାଙ୍କର ଉତ୍ପାତ ଆହୁରି ବଢିଥିଲା। ଏପରିକି ସେ ସ୍ଥାନୀୟ କିଛି ଲୋକଙ୍କୁ ମାରପିଟ୍ ସହ ଗାଳିଗୁଲଜ କରିଥିଲେ । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଧରି ନିସ୍ତୁକ ମାଡ ମାରିଥିଲେ । ମାଡ଼ରେ ତାଙ୍କର ହାତ ଅଙ୍ଗୁଳି ଭାଙ୍ଗି ଯାଇଥିବା ଜଣାପଡିଛି । ଖବର ପାଇ ସ୍ଥାନୀୟ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ରୂପେଶ କୁମାରଙ୍କୁ କାବୁ କରିଥିଲା । ଚିକିତ୍ସା ପାଇଁ ତାଙ୍କୁ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅପରପକ୍ଷେ, ରୂପେଶଙ୍କ ହରକତରେ ଅତିଷ୍ଠ ହୋଇ ଯୁବତୀଜଣଙ୍କ ଥାନାରେ ଏଫଆଇଆର ଦେଇଛନ୍ତି। ଥାନାରେ କୌଣସି ମାମଲା ହୋଇନାହିଁ ବୋଲି ପୋଲିସ୍‌ କହିଛି । ଅଭିଯୋଗକାରିଣୀ ଯୁବତୀଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି । ପୋଲିସ ରୂପେଶଙ୍କ ପରିବାର ଲୋକଙ୍କୁ ଡକାଇଛି । ସେପଟେ ଯୁବତୀ ମଧ୍ୟ ମାମଲା ଆଗକୁ ନବଢାଇବାକୁ କହୁଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.