ଇଞ୍ଜିନିୟର ଅସିତଙ୍କ କେମିତି ହେଲା ମୃତ୍ୟୁ ? ୩ ଦିନ ପରେ ବି ପୋଲିସ ହାତ ଖାଲି

Published By : Prameya-News7 Bureau | June 05, 2024 IST

ନିଶ୍ଚିନ୍ତକୋଇଲି ୫/୬: ଇଞ୍ଜିନିୟର ଅସିତ ଦାସଙ୍କ ମୃତ୍ୟୁ ମାମଲାକୁ ବିତିଲାଣି ୩ ଦିନ । ତଥାପି ରହସ୍ୟ ଉପରୁ ପରଦା ହଟାଇପାରୁନି ନେମାଳ ଥାନା ପୋଲିସ । କଟକ ନେମାଳ ଥାନା ମଙ୍ଗଳପୁର ଗାଁର ସାରଙ୍ଗଧର ଦାସଙ୍କ ପୁଅ ଅସିତ ପେଶାରେ ଇଞ୍ଜିନୟର । ଗତ ୩ତାରିଖରେ ସେ  ବଡ ଭାଇ ରଞ୍ଜିତଙ୍କ ସାଙ୍ଗରେ ନେମାଳ ମାଳିଗଡା ଗାଁକୁ ଯାଇଥିଲେ । ସେଠାରେ ରଞ୍ଜିତ ତାଙ୍କୁ ଛାଡିଦେଇ ଘରକୁ ଚାଲିଆସିଥିଲେ । ଆସିବାର କିଛି ଘଣ୍ଟା ପରେ ରଞ୍ଜିତଙ୍କୁ ଫୋନ ଆସିଲା,ତୁମ ଭାଇ କୂଅରେ ପଡିଯାଇଛି ତୁରନ୍ତ ଆସ । ପରିବାର ଲୋକ ମାଳିଗଡା ଗାଁରେ ପହଞ୍ଚିବା ପରେ ଅସିତଙ୍କ ଅବସ୍ଥା ସାଂଘାତିକ ଥିଲା । ସଙ୍ଗେ ସଙ୍ଗେ ନେମାଳ ପୋଲିସ ସହାୟତାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । 

ପରିବାର ଲୋକଙ୍କ ଅଭିଯୋଗ ପୁଅକୁ ହତ୍ୟା କରି କୂଅରେ କିଏ ଫିଙ୍ଗି ଦେଇଛି । ଅଭିଯୋଗ ଆଧାରରେ ପୋଲିସ ହତ୍ୟା ମାମଲା ରୁଜୁ କରି ଛାନଭିନ ଚଳାଇଥିଲେ ମଧ୍ୟ ଏଯାଏ ଅସିତଙ୍କ ମୃତ୍ୟୁ କେମିତି ହେଲା ସ୍ପଷ୍ଟ ହୋଇପାରିନି । ତେବେ ଏଠାରେ ପ୍ରଶ୍ନ ଉଠୁଛି ପରିତ୍ୟକ୍ତ କୂଅରେ କେମିତି ପଡିଲେ ଅସିତ ? ନା ତାଙ୍କୁ କିଏ ଜାଣିଶୁଣି ଠେଲି ଦେଇଛି । ପୁଅର ହତ୍ୟାକାରୀକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ପରିବାର ଲୋକ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.