ନିର୍ବନ୍ଧ ଶେଷ, ସେପଟେ ପ୍ରେମିକାର ଚାପ: ଚିନ୍ତାରେ ପରିବାର ଲୋକ

Published By : Prameya-News7 Bureau | November 30, 2020 IST

ଜଗତସିଂହପୁର୩୦/୧୧: ବିବାହ ପାଇଁ ନିର୍ବନ୍ଧ ସରିଥିଲା। ମାତ୍ର ଆଉ ଦିନ କେଇଟା ପରେ ବାହା ବେଦିରେ ବସିଥାଆନ୍ତେ ବର-କନ୍ୟା। ନିର୍ବନ୍ଧ ପରେ ପୁଅର ବାହାରିଲା ପୁରୁଣା ରୋଗ ଅର୍ଥାତ ପୁରୁଣା ପ୍ରେମିକାଙ୍କୁ ଭୁଲି ନାହାନ୍ତି ପ୍ରେମିକ ପ୍ରବର। ଘରେ ସିଧା ସିଧା  ବାହା ହେବାକୁ ମନା କରି ଦେଇଥିଲେ ପୁଅ। ଏପଟେ ପ୍ରେମିକା ଚାପ, ସେପଟେ ନିର୍ବନ୍ଧ ଶେଷ। ପୁରୁଣା ପ୍ରେମିକା ଏପର୍ଯ୍ୟନ୍ତ ଭୁଲି ନାହିଁ ପୁଅ। ଏକଥା ଘର ଲୋକେ ଜାଣିବା ପରେ ଚିନ୍ତାରେ ପଡି ଯାଇଥିଲେ। ଖାଲି ସେତିକି ନୁହେଁ ବନ୍ଧୁ-ପରିଜନଙ୍କ ଭିତରେ ଭାଳେନି ପଡି ଯାଇଥିଲା। ସତ କେବେ ଲୁଚି ରହେନି, ଠିକ ସେହିପରି ଏ ସଂପର୍କରେ ଝିଅ ଘର ଲୋକେ ଜାଣି ପାରିଥିଲେ। ଜଗତସିଂହପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।   

ହଠାତ୍‌ ତେନ୍ତୁଳିବେଲାରୀ ଅଞ୍ଚଳରୁ କନ୍ୟା ଘର ଲୋକଙ୍କ ଭିଡ଼ ଏଠାରେ ବଢ଼ିବା ପରେ ପୂରା କଥାଟା ପଦାକୁ ଆସିଥିଲା। ଶେଷରେ ପୋକପୁର ମାତା ମଠ ପରିସରରେ ପୁଅ ଓ କନ୍ୟା ଘର ଲୋକଙ୍କ ସମେତ କିଛି ଭଦ୍ର ଲୋକ ବସି ମିମାଂସା କରି ଦେଇଥିଲେ ।

ଖବର ମୁତାବକ, ଦୀର୍ଘ ବର୍ଷ ତଳୁ କାଠିଆପଡ଼ା ଅଞ୍ଚଳରେ ଘର ତୋଳି ରହୁଛନ୍ତି ଯୁବକଙ୍କ ପରିବାର। ନିକଟରେ ଏହି ପରିବାର ନିଜ ପୁଅଙ୍କ ବିଭାଘର ତେନ୍ତଳିବେଲାରୀ ଅଞ୍ଚଳରେ ସ୍ଥିର କରି ନିମନ୍ତ୍ରଣ ପତ୍ର ଛାପି ଦେଇଥିଲେ। ୨ ତାରିଖ ବିଭାଘର ସ୍ଥିର ହୋଇଥିବାରୁ ନିମନ୍ତ୍ରଣ ପତ୍ର ବଣ୍ଟା ଆରମ୍ଭ ହୋଇଯାଇଥିଲା । ତେବେ ପୁଅ ନିର୍ବନ୍ଧ ସମୟରେ ନିଜର ପୁରୁଣା ପ୍ରେମିକା ରହିଥିବା ନେଇ କାହାକୁ ଆଭାସ ଦେଇ ନଥିଲେ ।

ସେଦୃଷ୍ଟିରୁ ସୁରୁଖୁରୁରେ ପୁଅର ନିର୍ବନ୍ଧ ସାରି ଘର ଲୋକେ ଖୁସି ହୋଇଯାଇଥିଲେ । କିନ୍ତୁ ପ୍ରେମିକା ଧୈର୍ଯ୍ୟ ଧରିବା ଅବସ୍ଥାରେ ନଥିଲା । ସମ୍ଭବତଃ ପ୍ରେମିକା ଚାପରେ ୨ ତାରିଖ ବିବାହ ପୂର୍ବରୁ କାଠିଆପଡ଼ା ଅଞ୍ଚଳର ଏହି ଯୁବକ ନିର୍ବନ୍ଧ ଭାଙ୍ଗି ଦେବାକୁ ଚିନ୍ତା କରିଥିଲେ ଏବଂ ବିଗତ ଦିନର ପ୍ରେମ କାହାଣୀ ସଂପର୍କରେ ଘର ଲୋକଙ୍କୁ ଜଣାଇବାକୁ ବାଧ୍ୟ ହୋଇଥିଲେ । ଯେଉଁଥିପାଇଁ ଆଜି ନିଜ ସମ୍ମାନକୁ ଜଗି ପୁଅ ଘର ଲୋକେ ନିର୍ବନ୍ଧ ସମୟରେ ମିଳିଥିବା ସମସ୍ତ ଜିନିଷ ପତ୍ରକୁ କନ୍ୟା ଘର ଲୋକଙ୍କୁ ହସ୍ତାନ୍ତର କରି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.