ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦: ମ୍ୟାଚ୍ ବେଳେ କେମିତି ରହିବ ସାଉଥମ୍ପଟନର ପାଣିପାଗ, ଜାଣନ୍ତୁ

Published By : Prameya-News7 Bureau | July 07, 2022 IST

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଆଜି ସାଉଥମ୍ପଟନର ରୋଜ ବାଉଲ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ଅଧିନାୟକ ରୋହିତ ଶର୍ମା କୋଭିଡ୍‌ରୁ ସୁସ୍ଥ ହୋଇ ପଡିଆକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ। ଇଂଲଣ୍ଡ ନୂତନ ଅଧିନାୟକ ଜୋସ୍ ବଟଲରଙ୍କ ନେତୃତ୍ଵରେ ଖେଳିବାକୁ ପଡିଆକୁ ଓହ୍ଲାଇବ। ଟେଷ୍ଟ ମ୍ୟାଚରେ ସାମିଲ୍ ବିରାଟ କୋହଲି, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା, ଶ୍ରେୟସ ଆୟର ଏବଂ ଋଷଭ ପନ୍ତ ଦ୍ଵିତୀୟ ଟି-୨୦ରେ ଦଳରେ ଯୋଗ ଦେବେ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ହାରିବା ପରେ ଭାରତୀୟ ଦଳ ଟି-୨୦ ସିରିଜ୍ ଜିତିବାକୁ ଯଥାସାଧ୍ୟ ଚେଷ୍ଟା କରିବ। ରୋଜ୍ ବାଉଲ କ୍ରିକେଟ୍ ଗ୍ରାଉଣ୍ଡରେ ହାଇ ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିଥାଏ। କାରଣ ପିଚରେ ବୋଲରଙ୍କୁ ସେତେ ସହାୟତା ମିଳେ ନାହିଁ। ନିକଟରେ ସମାପ୍ତ ବର୍ମିଂହାମ ଟେଷ୍ଟ ଖେଳିଥିବା ଦୁଇ ଦଳର ୨୨ ଖେଳାଳିଙ୍କ ମଧ୍ୟରୁ କେହି ବି ଗୁରୁବାର ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବେ ନାହିଁ।

wp:html /wp:html

ପାଣିପାଗ ବିଭାଗ ଅନୁଯାୟୀ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ରେ ବର୍ଷା ହେବାର ସମ୍ଭାବନା ନାହିଁ। କିନ୍ତୁ ସାଉଥମ୍ପଟନରେ ଆକାଶରେ ବାଦଲ ଛାଇ ରହିବ। ଦିନର ତାପମାତ୍ରା ୧୨ ରୁ ୨୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ପବନର ବେଗ ଘଣ୍ଟା ପ୍ରତି ୧୧ କିଲୋମିଟର ରହିପାରେ। ହେଲେ ସନ୍ଧ୍ୟାରେ ମ୍ୟାଚ୍ ବେଳେ ତାପମାତ୍ରା ହ୍ରାସ ପାଇବ।

ଭାରତକୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ପୂର୍ବରୁ ପାଖାପାଖି ୧୫ଟି ମ୍ୟାଚ୍ ଖେଳିବାର ଅଛି। ଦଳ ଇଂଲଣ୍ଡ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ୍ ପରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଏହା ପରେ ଅଗଷ୍ଟ-ସେପ୍ଟେମ୍ବରରେ ଏସିଆ କପରେ ଭାରତ ୫ଟି ମ୍ୟାଚ୍ ଖେଳିବ। ସେପ୍ଟେମ୍ବରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.