ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଉପସ୍ଥିତି ଜାହିର କଲେ ଆତଙ୍କୀ
ରାଜୌରୀ ୧୪/୦୮: କଡ଼ାସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେବି ଜାମ୍ମୁ କାଶ୍ମୀର ଘାଟିରେ ଆତଙ୍କବାଦୀମାନେ ତାଙ୍କର ଉପସ୍ଥିତିର ସୂଚନା ଦେଇ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଆରମ୍ଭ କରି ଦେଇଛନ୍ତି। ରବିବାର ବିଳମ୍ୱିତ ରାତିରେ ରାଜୌରିରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଖବର ଅନୁସାରେ, ରଜୌରୀର କାଣ୍ଡ୍ରା ହିଲ୍ରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ଏହା ପୂର୍ବରୁ ଦକ୍ଷିଣକାଶ୍ମୀରର କୋଇମୋହ ଅଞ୍ଚଳରେ ଶନିବାର ବିଳମ୍ୱିତ ରାତିରେ ପୋଲିସ ଉପରେ ହୋଇଥିବା ଗ୍ରେନେଡ୍ ମାଡ଼ରେ ଜମ୍ମୁକାଶ୍ମୀର ପୋଲିସର ଜଣେ ଯବାନ ଶହିଦ ହୋଇଛନ୍ତି।
ଅନ୍ୟପଟେ ପୂର୍ବରୁ ଶୁକ୍ରବାର ଅନନ୍ତନାଗ ଜିଲ୍ଲାରେ ବିଜବିହାଡ଼ାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଗୁଳି କରିଥିଲେ। ଏଥିରେ ଜମ୍ମୁକଶ୍ମୀରର ଏସପିଓ ଗୁଲାମ କାଦିର ଆହତ ହୋଇଥିଲେ। ପୋଲିସ ଓ ସିଆରପିଏଫର ମିଳିତ ଟିମ୍ ଉପରେ ଏହି ଆକ୍ରମଣ କରାଯାଇଥିଲା। ତାପୂର୍ବରୁ ଶ୍ରୀନଗରର ଇଦଗାହ ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି ବୋଲି କୁହାଯାଇଛି।