ବର୍ଷା ଯୋଗୁଁ ଟ୍ରାଫିକ ଜାମ, ଅଫିସ ପହଞ୍ଚି ପାରିଲେନି କର୍ମଚାରୀ, ୨୨୫ କୋଟି ଟଙ୍କାର ଘାଟା
5/09/2022 at 10:06 PM

ବେଙ୍ଗାଲୁରୁ: ଭାରତର ସିଲିକନ ଭ୍ୟାଲି ବେଙ୍ଗାଲୁରୁ। ହେଲେ ନିଜର ସାର୍ବଜନୀନ ପରିବହନ ଅବ୍ୟବସ୍ଥା ଏବଂ ଅନୁନ୍ନତ ଭିତ୍ତିଭୂମି ପାଇଁ ବଦନାମ ଏହି ଆଇଟି ହବ୍ ସହର। ଅସରାଏ ବର୍ଷାରେ ସହରର ମୁଖ୍ୟ ସଡକରେ ଲହଡିମାରେ ପାଣି। ଏଥିରେ ସାଙ୍ଘାତିକ ଟ୍ରାଫିକ ଜାମ ଲାଗିରହେ। ଆଉ ଅଫିସ ଯାଉଥିବା କର୍ମଚାରୀ ରାସ୍ତାରେ ଘଣ୍ଟା ଘଣ୍ଟା ଫସି ରୁହନ୍ତି। ଏମିତି ବିପର୍ଯ୍ୟସ୍ତ ପରିବହନ ବ୍ୟବସ୍ଥାର ପରିଣାମ ଭୋଗିଛନ୍ତି ଅନେକ ଆଇଟି କମ୍ପାନୀ। ବର୍ଷା ଏବଂ ଟ୍ରାଫିକ ଜାମ କାରଣରୁ କର୍ମଚାରୀ ଅଫିସ ପହଞ୍ଚି ନପାରିବାରୁ ଶହ ଶହ କୋଟି ଟଙ୍କା କ୍ଷତି ଘଟିଛି।
ସହରରେ ଆଇଟି କମ୍ପାନୀଗୁଡିକୁ ଅଗଷ୍ଟ ୩୦ରେ ମାତ୍ର ଗୋଟିଏ ଦିନରେ ୨୮ ମିଲିୟନ ଡଲାର ଅର୍ଥାତ ୨୨୫ କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡିଛି। ଏହାର କାରଣ ଆଇଟି କମ୍ପାନୀର କର୍ମଚାରୀ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରାଫିକରେ ଫସି ରହିଥିଲେ। ମୌସୁମିଜନିତ ବର୍ଷା କାରଣରୁ ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଏ। ରାସ୍ତାରେ ଅଣ୍ଟାଏ ଯାଏଁ ପାଣି ଲହରି ମାରେ। ଏମିତି ସ୍ଥିତିରେ ବେଙ୍ଗାଲୁରୁ ସହରରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ। ଏ ସଂପର୍କରେ ରିଙ୍ଗ ରୋଡ୍ କମ୍ପାନୀ ଆସୋସିଏସନ(ORRCA) ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କୁ ଚିଠି ଲେଖି ସମସ୍ୟା ବିଷୟରେ ଜଣାଇଛନ୍ତି। ମୌସୁମୀ ବର୍ଷା କାରଣରୁ ପୂରା ସିଟି ଠପ୍ ହୋଇ ପଡୁଛି। ଫଳରେ ଗୁରୁତର ଟ୍ରାଫିକ ସମସ୍ୟା ଉପୁଜୁଛି।
ବେଙ୍ଗାଲୁରୁ ସହର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଦେଇଛି। ଏହା ରାଜ୍ୟର ଅର୍ଥବ୍ୟବସ୍ଥାରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଉଛି। କେବଳ ରିଙ୍ଗ ରୋଡ୍ କୃଷ୍ଣରାଜପୁରମରୁ ସେଷ୍ଟ୍ରାଲ ମିଲ୍କ ବୋର୍ଡ ଅଞ୍ଚଳ ଯାଏ ଆଉଟର ରିଙ୍ଗ ରୋଡ୍ରେ ପ୍ରାୟ ୫ ଲକ୍ଷରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ୧୭ କିଲୋମିଟର ଏହି ରାସ୍ତା ପରୋକ୍ଷ ଏବଂ ପ୍ରତ୍ୟେକ୍ଷ ଭାବେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ରୋଜଗାର ପ୍ରଦାନ କରିଥାଏ। ରାଜ୍ୟର ଅର୍ଥବ୍ୟବସ୍ଥାରେ ଏହି ରାସ୍ତାର ଯୋଗଦାନ ଖୁବ୍ ଅଧିକ ରହିଛି। ହେଲେ ଏହି ରାସ୍ତାର ବିକାଶ ଦିଗରେ କୌଣସି ଧ୍ୟାନ ଦିଆଯାଇନାହିଁ।
ଭାରତତର ପ୍ରମୁଖ ଆଇଟି ହବ୍ ବେଙ୍ଗାଲୁରୁରେ ଗତ ଏକ ସପ୍ତାହରୁ ଦୁଇ ସପ୍ତାହ ହେବ ଲଗାତାର ବର୍ଷା ଜାରି ରହିଛି। କର୍ଣ୍ଣାଟକ, ଦକ୍ଷିଣ ଭାରତୀୟ ରାଜ୍ୟ ଏବଂ ବେଙ୍ଗାଲୁରୁରେ ୮୨୦ ମିଲିମିଟର ବର୍ଷା ହୋଇଛି। ଏଥିରେ ୨୭ ଜିଲ୍ଲାର ୧୮୭ ଗାଁ ପ୍ରଭାବିତ ହୋଇଛି। ଟିକେ ବର୍ଷା ହେଲେ ବେଙ୍ଗାଲୁରୁ ସଡକ ପାଣିରେ ଭରିଯାଏ। ହଜାର ହଜାର ସଂଖ୍ୟାରେ ଯାନବାହାନକୁ ଅଣ୍ଟାଏ ଲେଖାଏଁ ପାଣିରେ ଯିବାକୁ ପଡିଥାଏ। ଆଉ କିଛି ସ୍ଥାନରେ ଏମିତି ସ୍ଥିତି ଉପୁଜେ ଯେ, ଲୋକେ କାର ଛାଡି ବାଇକରେ ଯିବାକୁ ବାଧ୍ୟ ହୋଇଥାନ୍ତି।