ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବହୁଚର୍ଚ୍ଚିତ ଫିଲ୍ମ ଏମର୍ଜେନ୍ସିର ରିଲିଜ୍ ଉପରେ ଲାଗିଥିବା ବ୍ୟାନକୁ ନେଇ ବମ୍ୱେ ହାଇକୋର୍ଟରେ ଗୁରୁବାର ପୁଣି ଶୁଣାଣି ହୋଇଛି । ଏହି ସମୟରେ କେନ୍ଦ୍ରୀୟ ଫିଲ୍ମ ପ୍ରମାଣ ବୋର୍ଡ (ସିବିଏଫସି) କହିଛି ଯେ କଙ୍ଗନା ରଣାୱତଙ୍କ ଫିଲ୍ମ ରିଲିଜ୍ ହୋଇପାରିବ । ତେବେ ଏହା ପୂର୍ବରୁ ସେନ୍ସର୍ ବୋର୍ଡର ରିଭ୍ୟୁ କମିଟି ଦେଇଥିବା ପାରମର୍ଶ ଅନୁସାରେ ଫିଲ୍ମର କିଛି ଦୃଶ୍ୟକୁ ହଟାଇବାକୁ ପଡ଼ିବ । ଜଷ୍ଟିସ୍ ବିପି କୋଲାବାୱାଲା ଏବଂ ଜଷ୍ଟିସ୍ ଫିରଦୋସ ପୋନିୱାଲା ଖଣ୍ଡପୀଠ ମାମଲା ଶୁଣାଣି କରିଛନ୍ତି । ଏହା ଉପରେ ଫିଲ୍ମ ନିର୍ମାତା କମ୍ପାନି ଜି ଷ୍ଟୁଡିଓଜ୍ କହିଛି ଆମେ ସୋମବାର ସୁଦ୍ଧା ଏହା ଉପରେ ବିଚାର କରିବୁ ।
ଏହି ମାମଲାରେ କୋର୍ଟ ଆଗାମୀ ସପ୍ତାହରେ ପରବର୍ତ୍ତୀ ଶୁଣାଣି କରିବେ । କୋର୍ଟରେ ଜି ଷ୍ଟୁଡିଓଜ୍ ଆବେଦନ ଦାଖଲ କରି ସେନ୍ସର ବୋର୍ଡ ପକ୍ଷରୁ ସାର୍ଟିଫିକେଟ୍ ଜାରି କରିବାକୁ ଆଦେଶ ଦେବା ପାଇଁ ନିବେଦନ କରାଯାଇଥିଲା । ଏହି ଫିଲ୍ମରେ ଶିଖ୍ ସମୁଦାୟଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ ଆସିଥିଲା । ଏହାପରେ ବିବାଦ ବଢିବା ଦେଖି ସେନ୍ସର୍ ବୋର୍ଡ ରିଲିଜ୍ ଉପରେ ରୋକ୍ ଲଗାଇଥିଲା । ନିର୍ମାତା କମ୍ପାନି କୋର୍ଟରେ କହିଥିଲା ଯେ ଆମେ ଅଗଷ୍ଟ ୨୯ରେ ଫିଲ୍ମ ପ୍ରମାଣ ବୋର୍ଡ ସାମନାରେ ନିଜ ଆବେଦନ ଦାଖଲ କରିଥିଲୁ କିନ୍ତୁ ବର୍ତ୍ତମାନ ସୁଦ୍ଧା ବୋର୍ଡ ପକ୍ଷରୁ ଆମକୁ ସେନ୍ସର ସାର୍ଟିଫିକେଟ୍ ମିଳି ନାହିଁ ।
ଏହା ପୂର୍ବରୁ କୋର୍ଟ କହିଥିଲେ ଯେ ସିବିଏଫସିକୁ ଆମେ ସେପ୍ଟେମ୍ୱର ୪ରେ ଜବଲପୁର ଶିଖ୍ ସଂଗତ ଏବଂ ଅନ୍ୟ ପକ୍ଷଙ୍କ ଆପତ୍ତି ଉପରେ ବିଚାର କରି ପରେ ପ୍ରମାଣ ପତ୍ର ଜାରି କରିବା କଥା କହିଥିଲୁ । ଏହାପରେ ଏବେ ବି ଏବେ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ଏହାପରେ କୋର୍ଟ ସେପ୍ଟେମ୍ୱର ୨୫ ସୁଦ୍ଧା ବୋର୍ଡକୁ ନିଷ୍ପତ୍ତି ନେବା ପାଇଁ କହିଥିଲେ, କିନ୍ତୁ ସେତେବେଳେ ବି ମାମଲା ସମଧାନ ହୋଇନଥିଲା ।