ମୁମ୍ଵାଇ ୦୯।୦୯; ମଣ୍ଡି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ଙ୍କ ଫିଲ୍ମ ‘ଏମର୍ଜେନ୍ସି’କୁ ମିଳିଛି ଗ୍ରୀନ୍ ସିଗ୍ନାଲ । ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍(ସିବିଏଫ୍ସି) ଫିଲ୍ମକୁ ୟୁ/ଏ ସାର୍ଟିଫିକେଟ୍ ଦେଇଛି । ତେବେ ଫିଲ୍ମର କିଛି ଦୃଶ୍ୟକୁ ନେଇ ସିବିଏଫ୍ସି ଆପତ୍ତି ପ୍ରକାଶ କରିଛି । ସେଥିଯୋଗୁ ଅନେକଗୁଡ଼ିଏ କଟ୍ ଓ ପରିବର୍ତ୍ତନ ପରେ କିଛି ସପ୍ତାହ ମଧ୍ୟରେ ଫିଲ୍ମଟି ରିଲିଜ୍ ହେବ । ସିବିଏଫ୍ସି ଫିଲ୍ମର ନିର୍ମାତାମାନଙ୍କୁ ୩ଟି ଦୃଶ୍ୟକୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛି । ରିଲିଜ୍ ପୂର୍ବରୁ ସେଥିରେ ୧୦ଟି ପରିବର୍ତ୍ତନ କରିବାକୁ ମଧ୍ୟ କୁହାଯାଇଛି । ସେ ସଂପର୍କିତ ତାଲିକା ନିର୍ମାତାଙ୍କୁ ଦିଆଯାଇଛି । ସେହିପରି ଫିଲ୍ମରେ ଦେଖାଯାଇଥିବା ବିବାଦୀୟ ଟିପ୍ପଣୀ ପ୍ରସଙ୍ଗରେ ତଥ୍ୟର ଉପସ୍ଥାପନା କରିବାକୁ ସେନ୍ସର ବୋର୍ଡ କହିଛନ୍ତି ।
ସୂଚନାଥାଉକି, ‘ଏମର୍ଜେନ୍ସି’ ଚଳିତମାସ ୬ ତାରିଖରେ ରିଲିଜ୍ ହେବାର ଥିଲା । କିନ୍ତୁ ଫିଲ୍ମକୁ ନେଇ ଶିଖ୍ ସଂଗଠନଗୁଡି଼କ ଆପତ୍ତି ପ୍ରଦର୍ଶନ କରିବାରୁ ସିବିଏଫ୍ସି ସାର୍ଟିଫିକେଟ୍ ଅଟକାଇ ଦେଇଥିଲା । ସିଏଫ୍ବିସି ସାର୍ଟିଫିକେଟ୍ ନ ମିଳିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଫିଲ୍ମଟି ରିଲିଜ୍ ହୋଇପାରିନଥିବା କଙ୍ଗନା କହିଥିଲେ । ସେପଟେ ସାର୍ଟିଫିକେଟ୍ ନ ମିଳିବାରୁ ନିର୍ମାତାମାନେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
କୋର୍ଟ ସେନ୍ସର ବୋର୍ଡକୁ ସେପ୍ଟେମ୍ବର ୧୮ ତାରିଖ ମଧ୍ୟରେ ‘ଏମର୍ଜେନ୍ସି’ର ସାର୍ଟିଫିକେଟ୍ ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ କହିଥିଲେ । ସେପ୍ଟେମ୍ବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ଫିଲ୍ମରେ କଙ୍ଗନାଙ୍କ ସହିତ ଅନୁପମ ଖେର, ଶ୍ରେୟସ୍ ତଲପଡ଼େ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ‘ଏମର୍ଜେନ୍ସି’ ବ୍ୟତୀତ କଙ୍ଗନା ଆଗକୁ ‘ଭାରତ ଭାଗ୍ୟ ବିଧାତା’ରେ ନଜର ଆସିବେ ।