ବାଂଲାଦେଶ ବିପକ୍ଷରେ ନହେଉ ଲଜ୍ଜାଜନକ ରେକର୍ଡ, ଶନିବାର ସମ୍ମାନ ରଖିବାକୁ ଓହ୍ଲାଇବ ଭାରତୀୟ ଦଳ

Published By : Prameya-News7 Bureau | December 09, 2022 IST

ନୂଆଦିଲ୍ଲୀ: ବାଂଲାଦେଶ ଗସ୍ତରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଦିନିକିଆ ଶୃଙ୍ଖଳାରେ ୨-୦ରେ ପରାଜିତ ହୋଇଛି। ସିରିଜର ତୃତୀୟ ତଥା ଶେଷ ଦିନିକିଆ ଶନିବାର ଡିସେମ୍ବର ୧୦ରେ ଚଟ୍ଟଗାଓଁରେ ଖେଳାଯିବ। ଏହି ମ୍ୟାଚ୍ ଜିତି ଭାରତ ନିଜର ଆତ୍ମ ସମ୍ମାନ ରଖିବା ଲକ୍ଷ୍ୟ ନେଇ  ପଡିଆକୁ ଓହ୍ଲାଇବ।

ଅଧିନାୟକ ରୋହିତ ଶର୍ମା ଦ୍ଵିତୀୟ ଦିନିକିଆରେ ଆହତ ହୋଇ ସିରିଜ୍‌ରୁ ବାଦ୍ ପଡିଛନ୍ତି। ତେଣୁ ରୋହିତଙ୍କ ସ୍ଥାନରେ ତୃତୀୟ ଦିନିକିଆରେ କେଏଲ ରାହୁଲ ଦଳର ନେତୃତ୍ଵ ନେବେ। ଯଦି ତୃତୀୟ ଦିନିକିଆରେ ଭାରତ ବିଜୟୀ ହୁଏ ତେବେ ନିଜର ସମ୍ମାନ ରକ୍ଷା କରି ପାରିବ। ଯଦି ପରାଜିତ ହୁଏ ତେବେ ଦଳ ନାମରେ ଏକ ଅଲୋଡା ରେକର୍ଡ ହୋଇଯିବ।

ଅଦ୍ୟାବଧି ଭାରତ ଏବଂ ବାଂଲାଦେଶ ମଧ୍ୟରେ ପାଞ୍ଚଟି ଦିନିକିଆ ଶୃଙ୍ଖଳା ଖେଳାଯାଇଛି। ଚଳିତ ସିରିଜ୍‌କୁ ମିଶାଇ ଭାରତ ବାଂଲାଦେଶ ବିପକ୍ଷରେ ଦୁଇଟି ସିରିଜ୍‌ରେ ହାରିଛି। ଗତ ଥର ୨୦୧୫ରେ ବାଂଲାଦେଶ ଭାରତକୁ ୨-୧ରେ ହରାଇଥିଲା। ଯଦି ତୃତୀୟ ଦିନିକିଆରେ ଭାରତ ପରାଜିତ ହୁଏ ତେବେ ଦଳର ବାଂଲାଦେଶ ବିପକ୍ଷରେ ପ୍ରଥମ  କ୍ଲିନ୍ ସୁଇପ୍ ହେବ। ଗତ ଥର ଅର୍ଥାତ ୨୦୧୫ରେ ଭାରତୀୟ ଦଳ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ପ୍ରଥମ ଥର ବାଂଲାଦେଶ ବିପକ୍ଷରେ ସିରିଜ୍ ହାରିଥିଲା।

ଭାରତୀୟ ଦଳ

କେଏଲ ରାହୁଲ(ଅଧିନାୟକ)(ଓ୍ଵିକେଟ୍ କିପର), ଶିଖର ଧାଓ୍ଵନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ ଆୟର, ରାହୁଲ ତ୍ରିପାଠୀ, ଇଶାନ କିଷନ(ଓ୍ଵିକେଟ୍ କିପର), ଶାହବାଜ ଅହମ୍ମଦ, ଅକ୍ଷର ପଟେଲ୍, ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ଉମରାନ ମଲିକ, କୁଲଦୀପ ଯାଦବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.