:
ନୂଆଦିଲ୍ଲୀ: ଦେଶରେ କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ସୋସିଆଲ୍ ମିଡିଆ ସାଇଟ୍ ଏକ୍ସ(ପୂର୍ବର ଟ୍ୱିଟର) ଏକ ବଡ଼ ଦାବି କରିଛି। ଭାରତ ସରକାର କମ୍ପାନୀଙ୍କୁ କିଛି ଆକାଉଣ୍ଟ ଓ ଲିଙ୍କ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାର ନିର୍ଦ୍ଦେଶ ପାଳନ ନ ହେଲେ କମ୍ପାନୀ ଓ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଜେଲ୍ କିମ୍ବା ଜରିମାନା କରାଯାଇପାରେ ବୋଲି ସରକାର ନିର୍ଦ୍ଦେଶ ଦେଇଥିବା କମ୍ପାନୀ ଦାବି କରିଛି। ଏନେଇ ଏକ୍ସ ପକ୍ଷରୁ ପୋଷ୍ଟ କରି ସୂଚନା ଦିଆଯାଇଛି।
ଏକ୍ସ କହିଛି ଯେ ଆଇନଗତ ପ୍ରତିବନ୍ଧକ ଯୋଗୁ ଆମେ ସରକାରୀ ନିର୍ଦ୍ଦେଶକୁ ସାର୍ବଜନିନ କରିପାରୁ ନାହୁଁ। ହେଲେ ପାରଦର୍ଶିତା ପାଇଁ ଏହା ହେବା ଉଚିତ୍ ବୋଲି ଆମେ ବିଶ୍ୱାସ କରୁଛୁ ବୋଲି ଏକ୍ସ କହିଛି। ତେବେ ଏହା ପୂର୍ବରୁ ୨୦୨୧ରେ ଆକାଉଣ୍ଟ ଡିଲିଟ୍ କରିବା ନେଇ କମ୍ପାନୀ ଓ ସରକାର ମଧ୍ୟରେ ଆଇନଗତ ଲଢ଼େଇ ହୋଇଥିଲା। ଏକ୍ସ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ହେଲେ କୋର୍ଟଙ୍କ ରାୟ କମ୍ପାନୀ ବିରୋଧରେ ହିଁ ଯାଇଥିଲା। ଏଥର ବି ସମାନ ପରିସ୍ଥିତି ଉପୁଜିଛି। କମ୍ପାନୀ ସହଜରେ ନିୟମ ମାନିବ ନା ପୁଣି ଆଇନଗତ ଲଢେଇ କରିବ ତା’ରି ଉପରେ ଲୋକଙ୍କ ନଜର ରହିଛି।
ଇଣ୍ଡିଆନ ଏକ୍ସପ୍ରେସ୍ ଖବରକୁ ଆଧାର କରି ନ୍ୟୁଜ୍-୨୪ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ସରକାର ଯେଉଁସବୁ ଆକାଉଣ୍ଟ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେଗୁଡ଼ିକ ମଧ୍ୟରୁ ସର୍ବାଧିକ କୃଷକ ଆନ୍ଦୋଳନ ସପକ୍ଷରେ ଟ୍ୱିଟ୍ କରୁଛନ୍ତି। ଚଳିତ ମାସ ଆରମ୍ଭରୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଏକାଧିକ ଇନ୍ଷ୍ଟା, ଫେସ୍ବୁକ ଓ ଟ୍ୱିଟର ଆକାଉଣ୍ଟ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକ୍ସ କହିଛି ଯେ ଆମେ ଏହି ଆକାଉଣ୍ଟ ଓ ପୋଷ୍ଟଗୁଡ଼ିକୁ କେବଳ ଭାରତରେ ସୀମିତ ରଖିବୁ। ହେଲେ ଆକାଉଣ୍ଟ ବ୍ଲକ୍ କରିବାରେ ଆମେ ସହମତ ନୋହୁଁ। ଏହା ବାକ୍ ସ୍ୱାଧୀନତା ବୋଲି ଏକ୍ସ ପୋଷ୍ଟରେ କହିଛି।
ପଢ଼ନ୍ତୁ-ବିଭାଜନ ବେଳେ ପାକିସ୍ତାନରୁ ଭାରତ ପଳାଇଆସିଥିଲେ ଦୁଇ ଭାଇ, ଠିଆ କରିଛନ୍ତି ୯,୩୯୮ କୋଟି ଟଙ୍କାର କମ୍ପାନୀ
ଆଇଟି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏକ୍ସ ଦେଇଥିବା ବୟାନ୍ର ସମୀକ୍ଷା କରାଯାଉଛି। ଖୁବ୍ଶୀଘ୍ର ଏହା ଉପରେ ଜବାବ ଦିଆଯିବ। ଅନ୍ୟପଟେ କମ୍ପାନୀ କହିଛି ଯେ ସରକାର ଦେଇଥିବା ନିର୍ଦ୍ଦେଶ ଅନୁସାରେ ଆମେ ସେହି ଆକାଉଣ୍ଟ ଗୁଡ଼ିକୁ ଚେତବନୀ ନୋଟିସ୍ ଦେଇସାରିଛୁ। ତେବେ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରିବାକୁ କମ୍ପାନୀର ଏକ ରିଟ୍ ପିଟିସନ ଲମ୍ବିତ ଅଛି ବୋଲି ଏକ୍ସ କହିଛି।
ସୂଚନା ଥାଉକି ଏକ୍ସ ପାଇଁ ଭାରତ ହେଉଛି ସବୁଠାରୁ ବଡ଼ ବଜାର।ଏଠାରେ କମ୍ପାନୀର କୋଟି କୋଟି ୟୁଜର ଅଛନ୍ତି।୨୦୨୧ କୃଷକ ଆନ୍ଦୋଳନ ଠାରୁ କେନ୍ଦ୍ର ସରକାରଙ୍କ ସହ ଏକ୍ସ ମଧ୍ୟରେ ଛକାପଞ୍ଝା ଜାରି ରହିଛି। କାରଣ ଏଥିରେ କେନ୍ଦ୍ର ସରକାର ଏକ୍ସକୁ ପ୍ରାୟ ୧୨୦୦ ଆକାଉଣ୍ଟ ହଟାଇବାକୁ କହିଥିଲା। ଏଥିରେ ଖଲିସ୍ତାନ ସପକ୍ଷରେ ପୋଷ୍ଟକ କରାଯାଉଥିଲା। ହେଲେ କମ୍ପାନୀ ଏଥିରେ ରାଜି ନ ହୋଇ କୋର୍ଟ ଯାଇଥିଲା। ଏହା ପୂର୍ବରୁ ସରକାର ୨୫୦ ଆକାଉଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ କୃଷକ ଆନ୍ଦୋଳନର ରିପୋର୍ଟିଂ କରିଥିବା ସାମ୍ବାଦିକଙ୍କ ଆକାଉଣ୍ଟ ମଧ୍ୟ ରହିଥିଲା।
ସେତେବେଳେ ଏକ୍ସ କିଛି ଆକାଉଣ୍ଟ ବଲ୍କ କରି ପରେ ଅନ୍ବ୍ଲକ୍ କରିଦେଇଥିଲା। ଏହାପରେ କମ୍ପାନୀ ସରକାରଙ୍କୁ ସ୍ପଷ୍ଟ କହିଥିଲା ଯେ ସେ ନେତା, ସାମ୍ବାଦିକ ଓ ସମାଜସେବୀଙ୍କ ଆକାଉଣ୍ଟ ବନ୍ଦ କରିବ ନାହିଁ। କାରଣ ଏହା ସେମାନଙ୍କର ବାକ୍ ସ୍ୱାଧୀନତା। ହେଲେ ସରକାର କହିଥିଲେ ଯେ କମ୍ପାନୀ କୋର୍ଟ ଭଳି ନିର୍ଦ୍ଦେଶ ଦେଇପାରିବେ ନାହିଁ। ଫଳରେ ବାଧ୍ୟ ହୋଇ ଏକ୍ସ କିଛି ଆକାଉଣ୍ଟକୁ ବ୍ଲକ୍ କରିଥିଲା। ଏଥିରେ ବର୍ତ୍ତମାନର ରାଜ୍ୟସଭା ସାଂସଦ ସମାଜବାଦ ପାର୍ଟି ନେତା ସୁଖରାମ ସିଂହ ଯାଦବଙ୍କ ଆକାଉଣ୍ଟ ବି ରହିଥିଲା।
ସୂଚନା ଥାଉକି ଏଲନ ମସ୍କ ଏକ୍ସ ଅଧିଗ୍ରହଣ କରିବା ବେଳେ ଭାରତୀୟ ନିୟମକୁ କଡ଼ା ବୋଲି ଦର୍ଶାଇଥିଲେ। ଏକ ଇଣ୍ଟରଭ୍ୟୁରେ ସାକ୍ଷାତ୍କାର ଦେଇ ମସ୍କ କହିଥିଲେ ଯେ କର୍ମଚାରୀଙ୍କୁ ଜେଲ୍ ପଠାଇବା ଅପେକ୍ଷା ନିୟମ ପାଳନ କରିଦେବା କମ୍ପାନୀ ପକ୍ଷ ଭଲ ବୋଲି ମସ୍କ କହିଥିଲେ।