ନଭେମ୍ବର ୧୭ରେ ଷ୍ଟାରସିପ୍‌ର ଦ୍ୱିତୀୟ ପରୀକ୍ଷଣ ! ଏପ୍ରିଲ ଉତ୍‌କ୍ଷେପଣବେଳେ ହୋଇଥିଲା ବିସ୍ଫୋରଣ

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ସ୍ପେଶ୍‌ ଏକ୍ସ ବିଶ୍ବର ସବୁଠୁ ଭାରୀ ରକେଟ ଷ୍ଟାର୍‌ସିପ୍‌ ସୁପର ହେଭିକୁ ନଭେମ୍ବର ୧୭ରେ ଦ୍ବିତୀୟ ପରୀକ୍ଷଣ କରିବାକୁ ଯୋଜନା ରଖିଛି । ଏହି ଷ୍ଟାରସିପ୍ ରକେଟ ହେଉଛି ବିଶ୍ବର ସବୁଠୁ ଉଚ୍ଚ ଏବଂ ଶକ୍ତିଶାଳୀ ସ୍ପେଶ୍‌ ଲଞ୍ଚ ଯାନ। ଅବଶ୍ୟ ଦ୍ବିତୀୟ ପରୀକ୍ଷଣ ପାଇଁ ଏହାକୁ ଏପର୍ଯ୍ୟନ୍ତ ରେଗୁଲେଟରୀ ଅନୁମତି ମିଳିନାହିଁ।

ସୂଚନାଥାଉକି, ପ୍ରାୟ ଛଅ ମାସ ତଳେ ଷ୍ଟାରସିପ୍‌ ସୁପର ହେଭି ରକେଟର ପ୍ରଥମ ପୀରକ୍ଷଣ ବିଫଳ ହୋଇଥିଲା। ଲଞ୍ଚର କିଛି ସମୟ ପରେ ଏହି ରକେଟରେ ବିସ୍ଫୋରଣ ହୋଇଥିଲା। ତେବେ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ) ଦ୍ବାରା ଷ୍ଟାରସିପ୍‌ର ବିଫଳତାର କାରଣର ତଦନ୍ତ ସରିବା ପରେ ଏବେ ଏହାର ଦ୍ବିତୀୟ ପରୀକ୍ଷଣ ପାଇଁ ପଥ ପରିଷ୍କାର ହୋଇଛି। ଏହା ସହ ଏଫଏଏ ଦ୍ବିତୀୟ ପରୀକ୍ଷଣ ପାଇଁ ଅକ୍ଟୋବରରେ ସୁରକ୍ଷା ଯାଞ୍ଚ ମଧ୍ୟ କରିସାରିଛି। କିନ୍ତୁ ଏପର୍ଯ୍ୟନ୍ତ ଦ୍ବିତୀୟ ଲଞ୍ଚକୁ ଅନୁମତି ମିଳିନାହିଁ। ଏବେବି କିଛି ଯାଞ୍ଚ ବାକି ରହିଛି।

ଆହୁରି ପଢ଼ନ୍ତୁ: ଶେଷ ମୁହୂର୍ତ୍ତରେ ଟଳିଲା ଷ୍ଟାରସିପ୍‌ର ଉତକ୍ଷେପଣ, ଯାନ୍ତ୍ରିକ ତ୍ରୁଟି ପରେ ସ୍ଥଗିତ ହେଲା ଲଞ୍ଚିଂ, ମଣିଷକୁ ମଙ୍ଗଳ ଗ୍ରହରେ ପହଞ୍ଚାଇବାକୁ ରହିଛି ଲକ୍ଷ୍ୟ

ସୂଚନାଯୋଗ୍ୟ, ଏଲନ ମସ୍କଙ୍କ ସ୍ପେସ୍‌ଏକ୍ସ କମ୍ପାନୀ ଦ୍ବାରା ନିର୍ମିତ ଏହି ଷ୍ଟାର୍‌ସିପ୍‌ ରକେଟ ହେଉଛି ଦୁନିଆର ସବୁଠୁ ବଡ଼ ରକେଟ୍‌। ଷ୍ଟାରସିପ୍‌ରେ ସ୍ପେଶ ଏକ୍ସର ନିଜସ୍ବ ୩୩ ରାପ୍ଟର ଇଞ୍ଜିନ ରହିଛି ଯାହା ତରଳ ମିଥେନ ଏବଂ ଅମ୍ଳଜାନ ଦ୍ବାରା ପରିଚାଳିତ ହୋଇଥାଏ। ଏହାର ଉଚ୍ଚତା ୧୧୮ ମିଟର ରହିଥିବାବେଳେ ଓଜନ ୪୪୦୦ ଟନ୍ ରହିଛି। ଲଞ୍ଚ ଟେକ୍ସାସର ବୋକା ଚିକାରେ ଥିବା ସ୍ପେଶ୍‌ ଏକ୍ସର ଷ୍ଟାର୍‌ବେସ୍‌ରୁ କରାଯିବ।

ଏହି ଷ୍ଟାରସିପ୍‌ ରକେଟ ଏତେ ବଡ଼ ରକେଟ୍‌ ଯେ, ଏଥିରେ ୧୦୦ ଜଣ ମହାକାଶଚାରୀ ଯାଇପାରିବେ। ଏହାଦ୍ବାରା ଚନ୍ଦ୍ରମା ଏବଂ ମଙ୍ଗଳ ଗ୍ରହକୁ ମଣିଷଙ୍କୁ ପଠାଇବା ପାଇଁ ଲକ୍ଷ୍ୟ ରହିଛି। ଏହି ରକେଟ୍‌ ମହାକାଶକୁ ଯାତ୍ରା କରୁଥିବା କୌଣସି ଅନ୍ୟ ରକେଟ୍‌ ଠାରୁ ଅଧିକ ଶକ୍ତିଶାଳୀ।

ଆହୁରି ପଢ଼ନ୍ତୁ: ଲଞ୍ଚିଂର କିଛି କ୍ଷଣ ପରେ Starshipରେ ବିସ୍ଫୋରଣ, ଦୁନିଆର ସବୁଠୁ ବଡ଼ ରକେଟ୍‌ ପରୀକ୍ଷଣ ବିଫଳ

୨୦୨୯ ସୁଦ୍ଧା ମଣିଷଙ୍କୁ ମଙ୍ଗଳ ଗ୍ରହକୁ ପଠାଇ ଏବଂ ସେଠାରେ ଜନବସତି ବସାଇବା ନେଇ ଏଲନ ମସ୍କଙ୍କ ସ୍ବପ୍ନ ରହିଛି। ନାସା ୨୦୨୫ରେ ଆର୍ଟେମିସ୍‌ ୩ ମିଶନ ପାଇଁ ସ୍ପେସଏକ୍ସକୁ ବାଛିଛି। ଫଳରେ ମଣିଷକୁ ଚନ୍ଦ୍ରମାକୁ ପହଞ୍ଚାଯାଇପାରିବ। ଏହି ରକେଟ୍‌କୁ ଏଭଳି ଭାବରେ ନିର୍ମାଣ କରାଯାଇଛି ଯାହାଦ୍ବାରା ଅନେକ ସାଟେଲାଇଟ୍‌ ନିଆଯାଇପାରିବ। ଏଥିରେ ବଡ଼ ଆକାରର ଟେଲିସ୍କୋପ୍‌ ମଧ୍ୟ ନିଆଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.