ଏଲନ ମସ୍କଙ୍କ ବଢିଲା ଚିନ୍ତା: କର୍ମଚାରୀଙ୍କୁ ଚେତାବନୀ, ଆଗକୁ ଆସୁଛି କଠିନ ସମୟ

Published By : Prameya-News7 Bureau | November 12, 2022 IST

ନୂଆଦିଲ୍ଲୀ ୧୨/୧୧: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରର ଭବିଷ୍ୟତକୁ ନେଇ ବଢୁଛି ଅନିଶ୍ଚିତତା । ବର୍ଷ ପରେ ବର୍ଷ ଏହା ସଫଳତାର ନୂଆ ଶିଖର ଚଢ଼ିଥିଲା । କିନ୍ତୁ କମ୍ପାନିର ମଙ୍ଗ ଏଲନ୍‌ ମସ୍କଙ୍କ ହାତକୁ ଯିବା ପରେ ପୁରା ଅଙ୍କ ବଦଳିଯାଇଛି । ମସ୍କଙ୍କ ଆକ୍ରାମକ ରଣନୀତି ଟୁଇଟରକୁ ଆଗକୁ ନେବ ଅବା ଏହାର ଅଧପତନର କାରଣ ସାଜିବ ତାହାକୁ ନେଇ ଚର୍ଚ୍ଚା । ଏସବୁ ମଧ୍ୟରେ ନିଜେ ମସ୍କ ସୋସିଆଲ ମିଡ଼ିଆ ପ୍ଲାଟ୍‌ଫର୍ମରେ ଟୁଇଟର ଦେବାଳିଆ ହୋଇଯିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

ରିପୋର୍ଟ ଅନୁସାରେ, ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଟୁଇଟର କର୍ମଚାରୀମାନଙ୍କୁ କହିଛନ୍ତି ଯେ, କମ୍ପାନି ଦେବାଳିଆ ହୋଇଯାଇପାରେ । ଏହି ଆଶଙ୍କାକୁ ଏଡ଼ାଯାଇ ନ ପାରେ । ଆମେରିକାରେ ଦୁର୍ବଳ ଆର୍ଥିକ ସ୍ଥିତି ଟୁଇଟର ପାଇଁ ଅନେକ ଆହ୍ୱାନ ଆଣିପାରେ । ଆଗକୁ କଠିନ ସମୟ ଆସୁଥିବା ସେ କର୍ମଚାରୀମାନଙ୍କୁ ସତର୍କ କରିଛନ୍ତି ।

ସଫଳତା ପାଇଁ କଠିନ ପରିଶ୍ରମର ଆବଶ୍ୟକତା ରହିଛି । ଏହା ସହିତ ୱାର୍କ ଫ୍ରମ୍‌ ହୋମ୍‌ ଟ୍ରେଣ୍ଡରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ମସ୍କ ଘୋଷଣା କରିଛନ୍ତି । ପୂର୍ବରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ମସ୍କ ଆସିବା ପରେ କର୍ମଚାରୀମାନଙ୍କ କାର୍ଯ୍ୟ ଚାପ ବହୁ ମାତ୍ରାରେ ବଢ଼ିଯାଇଛି । ବିନା ଛୁଟିରେ ସେମାନେ ସପ୍ତାହକୁ ୮୪ ଘଣ୍ଟା କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି ।

୨ ସପ୍ତାହ ତଳେ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟରକୁ ୪୪୦୦ କୋଟି ଡଲାରରେ କିଣିଥିଲେ । ଏ ଚୁକ୍ତି ସମ୍ପୂର୍ଣ୍ଣ ହେବା ପରେ କ୍ରେଡିଟ୍‌ ଏକ୍ସପର୍ଟମାନେ ଆଶଙ୍କା ବ୍ୟକ୍ତ କରିଥିଲେ ଯେ, ଏହି ବ୍ୟୟବହୁଳ ଚୁକ୍ତି ଟୁଇଟରର ଆର୍ଥିକ ସ୍ଥିତି ଉପରେ ସିଧାସଳଖ ପ୍ରଭାବ ପକାଇବ । ଘଟଣା ସହ ଜଡ଼ିତ ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି ଯେ, ଟୁଇଟରର ୨ ଜଣ ବରିଷ୍ଠ ଅଧିକାରୀ ୟୋଏଲ୍‌ ରୋଥ୍‌ ଏବଂ ରବିନ ହ୍ୱିଲର ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ଗୁରୁବାର ଟୁଇଟରର ଚିଫ୍‌ ଇନ୍‌ଫର୍ମେସନ ସିକ୍ୟୁରିଟି ଅଫିସର ଲି କିସ୍‌ନର ଟୁଇଟ୍‌ କରି କହିଥିଲେ ଯେ, ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି । ଚିଫ୍‌ ପ୍ରାଇଭେସି ଅଫିସର ଡାମିଏନ୍‌ କିରେନ୍‌ ଏବଂ ଚିଫ୍‌ କମ୍ପ୍ଲିଆନ୍ସ ଅଫିସର ମ୍ୟାରିଏନ୍‌ ଫୋଗାର୍ଟି ବି ଇସ୍ତଫା ଦେଇସାରିଛନ୍ତି । ଏହି ଇସ୍ତଫାଗୁଡ଼ିକ ପରେ ଟୁଇଟରର ପରିଚାଳନା ଭୟଙ୍କର ଭାବେ ପ୍ରଭାବିତ ହେବ ବୋଲି ଆଶଙ୍କା ଉପୁଜିଛି ।

ଆମେରିକୀୟ ଫେଡେରାଲ ଟ୍ରେଡ୍‌ କମିସନ ଅନୁସାରେ, ପ୍ରାଇଭେସି ଏବଂ କମ୍ପ୍ଲିଆନ୍ସ ଅଧିକାରୀଙ୍କ ଇସ୍ତଫା ପରେ ଟୁଇଟର ଉପରେ ନଜର ରହିଛି । ଏ ଇସ୍ତଫାଗୁଡ଼ିକ ଦ୍ୱାରା ଟୁଇଟରରେ ନିୟମ ନିର୍ଦ୍ଦେଶର ଉଲ୍ଲଂଘନ ରିସ୍କ ଉପୁଜିଛି । ଗୁରୁବାର ଟୁଇଟର କର୍ମଚାରୀମାନଙ୍କ ସହ ମସ୍କଙ୍କ ପ୍ରଥମ ବୈଠକ ହୋଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମସ୍କ ନିଜେ ଏହି ବୈଠକ ଅବସରରେ କମ୍ପାନିକୁ ଆସନ୍ତା ବର୍ଷ ବହୁ କୋଟି ଡଲାର କ୍ଷତି ସହିବାକୁ ପଡ଼ିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।

୨୭ ଅକ୍ଟୋବରରେ ଟୁଇଟରକୁ କିଣିବା ପରେ ମସ୍କ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇଛନ୍ତି । କମ୍ପାନି ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀଙ୍କୁ ସେ ବିଦା କରିଛନ୍ତି । ଏବେ ମସ୍କ କହୁଛନ୍ତି ଯେ, ସେ ଦାୟିତ୍ୱ ସମ୍ଭାଳିବା ପରେ ବିଜ୍ଞାପନଦାତାମାନେ ଆଉ ବିଜ୍ଞାପନ ଦେବାକୁ ମଙ୍ଗୁ ନାହାନ୍ତି । ଫଳରେ କମ୍ପାନିର ଆର୍ଥିକ ସ୍ଥିତି ବଡ଼ ମାତ୍ରାରେ ବିଗିଡ଼ିପାରେ । ବିଜ୍ଞାପନ ଅଭାବରୁ ଟୁଇଟରକୁ ପ୍ରତି ଦିନ ୪୦ ଲକ୍ଷ କୋଟି ଡଲାର କ୍ଷତି ସହିବାକୁ ପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.