ପରାଗ ଅଗ୍ରଓ୍ଵାଲଙ୍କୁ ହଟାଇବା ପରେ ଟ୍ଵିଟରର ସିଇଓ ହେବେ ଏଲନ ମସ୍କ, ପୂର୍ବରୁ ୪ଟି କମ୍ପାନିର ଅଛନ୍ତି ମୁଖ୍ୟ

Published By : Prameya-News7 Bureau | November 01, 2022 IST

ନୂଆଦିଲ୍ଲୀ: ଟ୍ଵିଟରର ସିଇଓ ହେବେ ଏଲନ ମସ୍କ। ଏ ନେଇ ପ୍ରକ୍ରିୟା ଜାରି ରହିଛି। ଖୋଦ୍ ଏହାର ସୂଚନା ଦେଇଛନ୍ତି ଟେସଲା ମୁଖ୍ୟ ଏଲନ ମସ୍କ। ଏହା ପୂର୍ବରୁ ଟ୍ଵିଟରର ସଂପୂର୍ଣ୍ଣ ଅଧିଗ୍ରହଣ ପରେ ଏଲନ ମସ୍କ ତତ୍କାଳୀନ ସିଇଓ ପରାଗ ଅଗ୍ରଓ୍ଵାଲଙ୍କୁ ସିଇଓ ପଦରୁ ବରଖାସ୍ତ କରିଥିଲେ। ଏହା ପରଠୁ କମ୍ପାନିର ସିଇଓ ପଦ ଖାଲି ରହିଛି।

କେବଳ ଏତିକି ନୁହେଁ ମସ୍କ ବୋର୍ଡ ଅଫ ଡିରେକ୍ଟର୍ସ କମିଟି ଭାଙ୍ଗିଛନ୍ତି। ବର୍ତ୍ତମାନ ସେ କମ୍ପାନିର ଏକ ମାତ୍ର ନିର୍ଦ୍ଦେଶକ। କମ୍ପାନିର ନିର୍ଦ୍ଦେଶକ ମଣ୍ଡଳୀରେ ପରାଗ ଅଗ୍ରଓ୍ଵାଲ ବି ସାମିଲ୍ ଥିଲେ। ମସ୍କ ଟ୍ଵିଟରର ସିଇଓ ହେଲେ ଏହାକୁ ମିଶାଇ ସେ ମୋଟ୍ ପାଞ୍ଚଟି କମ୍ପାନିର ମୁଖ୍ୟ ହେବେ। ଏହା ପୂର୍ବରୁ ସେ ଟେସଲା ସହିତ ରକେଟ୍ କମ୍ପାନି ସ୍ପେସ୍ ଏକ୍ସ, ବ୍ରେନ-ଚିପ୍ ଷ୍ଟାର୍ଟଅପ୍‌ ନ୍ୟୁରୋଲିଙ୍କ ଏବଂ ସୁଡଙ୍ଗ ଖୋଦେଇ କରୁଥିବା  ଦ ବୋରିଙ୍ଗ କମ୍ପାନିର ପ୍ରମୁଖ ବି ଅଛନ୍ତି।

ମସ୍କ ଟ୍ଵିଟରର ସିଇଓ ହେବା ନେଇ  ଏହାର ଆନୁଷ୍ଠାନିକ ବୟାନ ଦିଆଯାଇ ନାହିଁ। ମସ୍କଙ୍କ ଦ୍ଵାରା ଟ୍ଵିଟର କିଣିବା ନେଇ ପ୍ରସ୍ତାବ ପରଠୁ କମ୍ପାନିର ଅଂଶଧନରେ ଏକ ତୃତୀୟାଂଶ ଖସି ସାରିଛି। ମସ୍କ ଚଳିତ ବର୍ଷ ଏପ୍ରିଲରେ ଟ୍ଵିଟରକୁ ୪୪ ବିଲିୟନ ଡଲାରରେ କିଣିବାକୁ ପ୍ରସ୍ତାବ ଦେଇଥିଲେ।

ଅନ୍ୟପକ୍ଷ ମସ୍କ ଟୁଇଟରରୁ ଅନେକ କର୍ମଚାରୀଙ୍କୁ ବିଦା କରିବାକୁ ନିଷ୍ପତ୍ତି ନେଇଛନ୍ତି। କମ୍ପାନିରେ କର୍ମଚାରୀଙ୍କ ସଂଖ୍ୟା ୭୫ ପ୍ରତିଶତ ରଖିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ  ନଭେମ୍ବର ମାସ ଶେଷ ସୁଦ୍ଧା  ଏହି ପ୍ରକ୍ରିୟା ପୂରା କରିବାକୁ ମସ୍କ ଲକ୍ଷ୍ୟ ରଖିଛନ୍ତି। କେଉଁ କର୍ମଚାରୀଙ୍କୁ ବାହାର କରାଯିବ ତାର ତାଲିକା ପ୍ରସ୍ତୁତ କରିବାକୁ ଏଲନ ମସ୍କ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.