#RIP  ଟ୍ୱିଟର ଟ୍ରେଣ୍ଡରେ ମସ୍କ ସେୟାର କଲେ କବର ମିମ୍‌, ଜାଣନ୍ତୁ ଚାଲିଛି କ’ଣ?

Published By : Prameya-News7 Bureau | November 18, 2022 IST

ସାନଫ୍ରାନସିସ୍କୋ ୧୮।୧୧: ଶହଶହ କର୍ମଚାରୀଙ୍କ ଇସ୍ତଫା ଯୋଗୁ ଏବେ ଟ୍ୱିଟରରେ # ଆରଆଇପି ଟ୍ରେଣ୍ଡ କରୁଛି। ଏହାକୁ ନେଇ ମାଇକ୍ରୋ ବ୍ଲଗିଙ୍ଗ ସାଇଟରେ ଏବେ ମିମସ୍‌ର ବନ୍ୟା ଆସିଥିବା ବେଳେ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ମଧ୍ୟ ଏଥିରେ ନିଜକୁ ସାମିଲ  କରିଦେଇଛନ୍ତି। ଆରଆଇପି ଟ୍ୱିଟର  ଟ୍ରେଣ୍ଡରେ ମସ୍କ ଟ୍ୱିଟରର ଏକ କବର ଫଟୋ ସେୟାର କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହା ସବୁ ସେତେବେଳେ ହେଉଛି ଯେତେବେଳେ ଟ୍ୱିଟରରୁ ଏକକାଳୀନ ଶହଶହ କର୍ମଚାରୀ ଚାକିରୀ ଛାଡିଛନ୍ତି।

୨୭ ଅକ୍ଟୋବର ୨୦୨୨ରେ ମସ୍କ ଟ୍ୱିଟର ଅଧିଗ୍ରହଣ କରିବା କାଳରେ  ଏକକାଳୀନ ୩୭୦୦ କର୍ମଚାରୀଙ୍କୁ ଛଟେଇ କରି ଦେଇଥିଲେ। ଯେଉଁ ବଳକା କର୍ମଚାରୀଙ୍କ ଦ୍ୱାରା ଟ୍ୱିଟର ଏପର୍ଯ୍ୟନ୍ତ ଚାଲି ରହିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁବାର ମସ୍କଙ୍କ ମେଲ ପରେ ଚାକିରୀରୁ ସ୍ୱେଚ୍ଛାକୃତ ବାହାରି ଯାଇଛନ୍ତି। କୁହାଯାଉଛି କମ୍ପାନୀରେ ବଡସ୍ତରରେ ହେଉଥିବା ପରିବର୍ତ୍ତନ ଓ ହାର୍ଡ କୋର ୱାର୍କକୁ ନେଇ କର୍ମଚାରୀ ଅସନ୍ତୁଷ୍ଟ ଥିଲେ। ଏଥିରେ ମସ୍କଙ୍କ କାର୍ଯ୍ୟ ଘଣ୍ଟା ବଢାଇବା ଓ ହାର୍ଡ କୋର ୱାର୍କର ଅଲ୍ଟିମେଟମ ଦେବା ଯୋଗୁ କର୍ମଚାରୀ ନିଜ ଆଡୁ ଚାକିରୀରୁ ଇସ୍ତଫା ଦେଇଛନ୍ତି।

wp:html /wp:html

ମସ୍କ ଟ୍ୱିଟର ଅଧିଗ୍ରହଣ କରିବା କାଳରେ ଏହାର ଭାରତୀୟ ସିଇଓ ପରାଗ ଅଗ୍ରୱାଲଙ୍କୁ ପ୍ରଥମେ ଚାକିରୀରୁ ବାହାର କରିଥିଲେ। ଏହା ସହିତ ସିଏଫଓ ନେଡ ସେଗଲ ଓ ଲିଗାଲ ଆଫେୟାର ପଲିସି ହେଡ ବିଜୟା ଗାଡ୍ଡେଙ୍କୁ ଚାକିରୀରୁ ଛୁଟି କରିଥିଲେ। କେବଳ ଏତିକି ନୁହେଁ ଏମାନଙ୍କୁ ମସ୍କ କମ୍ପାନୀ ମୁଖ୍ୟାଳୟରୁ ବାହାର କରିଦେଇଥିଲେ। ଏହା ପରେ ମସ୍କ ଟ୍ୱିଟ୍ କରି ‘ଦି ବାର୍ଡ ଇଜ୍ ଫ୍ରିଡ’ ବୋଲି ଉଲ୍ଲେଖ କରିଥିଲେ।

କୁହାଯାଉଛି ଏଲନ ମସ୍କ ୧୬ ନଭେମ୍ବର ବୁଧବାର କର୍ମଚାରୀମାନଙ୍କୁ ଇ-ମେଲ କରି ଏକ ଅଲ୍ଟିମେଟମ ଦେଇଥିଲେ। ଏଥିରେ କମ୍ପାନୀର ମାଲିକ ଟ୍ୱିଟର ୨.୦ର ନିର୍ମାଣ ନେଇ କହିଥିଲେ। ଟ୍ୱିଟରକୁ ସଫଳ କରିବାକୁ ହେଲେ ଆମକୁ କଠୋର ପରିଶ୍ରମ କରିବାକୁ ପଡିବ ବୋଲି ଏଥିରେ ମସ୍କ କହିଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିବାକୁ ପଡିବ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ।

wp:html /wp:html

ଏଥିରେ ଯେଉଁମାନେ ସହମତ ସେମାନେ ମେଲ ତଳେ ଦିଆଯାଇଥିବା ଇୟେସ୍‌ ବଟନ୍‌ରେ କ୍ଲିକ୍‌ କରନ୍ତୁ ବୋଲି କହିଥିଲେ। ନଚେତ କର୍ମଚାରୀଙ୍କୁ ୩ ମାସର ବେତନ ଅଗ୍ରୀମ ଦେଇଦିଆଯିବ ବୋଲି ସୂଚିତ କରିଥିଲେ। ତେବେ ଅଧିକାଂଶ କର୍ମଚାରୀ ଅଗ୍ରୀମ ୩ ମାସର ଦରମା ଲାଗି ଆଗ୍ରହ ଦେଖାଇଛନ୍ତି। ଏହା ପରେ ଟ୍ୱିଟରରେ ଆଉ ମାତ୍ର ୩ ହଜାର କର୍ମଚାରୀ ବଳକା ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ବ୍ଲୁମବର୍ଗ ନ୍ୟୁଜ୍‌ରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏଥିରେ ଟ୍ୱିଟର ପ୍ରତି ଲୋକଙ୍କ ବିଶ୍ୱାସ ହ୍ରାସ ହୋଇଛି ବୋଲି ରିପୋର୍ଟ ପ୍ରକାଶିତ ହୋଇଥିଲା।

ଏଥିରେ ମସ୍କ ଟ୍ୱିଟରର ଦେବାଳିଆ ଅବସ୍ଥାକୁ ଅସ୍ୱୀକାର କରିହେବନି ବୋଲି କହିଥିଲେ। ଏଣୁ କର୍ମଚାରୀଙ୍କୁ ଆବଶ୍ୟକତା ସ୍ଥଳରେ ସପ୍ତାହକୁ ୮୦ ଘଣ୍ଟା କାର୍ଯ୍ୟ କରିବାକୁ ପଡିବ ବୋଲି କହିଥିଲେ। ଏହା ସହିତ ମସ୍କ କରୋନା କାଳ ଯୋଗୁ ଟ୍ୱିଟରରେ  କର୍ମଚାରୀଙ୍କ ପ୍ରତି ଥିବା କୋହଳ ନିୟମ ମଧ୍ୟ ହଟାଇ ଦେଇଥିଲେ। ଏଥିରେ ୱାର୍କ ଫ୍ରମ ହୋମରେ ଥିବା କର୍ମଚାରୀଙ୍କୁ ଅଫିସକୁ ଆସିବାକୁ କୁହାଯାଇଥିଲା। ନଚେତ ସେମାନଙ୍କର ଇସ୍ତଫା ବୁଝାଯିବ ବୋଲି ମସ୍କ କହିଥିବା ବେଳେ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ଅଧିକ ଘଣ୍ଟା କାମ କରିବାକୁ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.