ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଇଲେକ୍ଟ୍ରିକ କାର ନିର୍ମାଣକାରୀ କମ୍ପାନି ଟେସଲାର ସିଇଓ ଏଲନ ମସ୍କ ନିଜ ବୟାନକୁ ନେଇ ଖୁବ ଚର୍ଚ୍ଚାରେ ରହି ଆସୁଛନ୍ତି। ଦୁଇ ଦିନ ପୂର୍ବେ ଟେସଲାରୁ ୧୦ ପ୍ରତିଶତ କର୍ମଚାରୀଙ୍କ ଛଟେଇ କରାଯିବା ନେଇ ମସ୍କ ଘୋଷଣା କରିଥିଲେ। ଏବେ ସେ ନିଜର ସେହି ବୟାନରୁ ୟୁଟର୍ଣ୍ଣ ନେଇଛନ୍ତି ଏବଂ ନୂଆ ନିଯୁକ୍ତିର କଥା କହିଛନ୍ତି। ମସ୍କ କହିଛନ୍ତି, ଆସନ୍ତା ୧୨ ମାସରେ ଟେସଲା ହେଡକାଉଣ୍ଟସ ବଢାଇବା ଉପରେ ବିଚାର କରୁଛି। ଏଲନ ମସ୍କ ଟ୍ୱିଟ କରି କହିଛନ୍ତି, ଟେସଲାରେ ମୋଟ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ହେବ।
ଗୁରୁବାର ଟେସଲାର ଅଧିକାରୀଙ୍କୁ ଏକ ମେଲ୍ ପଠାଯାଇଥିଲା। ସାରା ଦୁନିଆରେ କମ୍ପାନିର ସମସ୍ତ ନୂଆ ନିଯୁକ୍ତି ଉପରେ ରୋକ ଲଗାଇବା ପାଇଁ ଏଥିରେ କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ମସ୍କ ଚଳିତ ସପ୍ତାହର ଆରମ୍ଭରେ ଟେସଲାର କର୍ମଚାରୀଙ୍କୁ କାର୍ଯ୍ୟାଳୟକୁ ଫେରିବା କିମ୍ୱା ଚାକିରୀ ଛାଡିବାକୁ କହିଥିଲେ। ପୂର୍ବରୁ ଏଲନ ମସ୍କ କମ୍ପାନିର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇ ପ୍ରତି ସପ୍ତାହରେ ୪୦ ଘଣ୍ଟା ଅଫିସ୍ ଆସି କାମ କରିବାକୁ କହିଥିଲେ।