ଏଲନ୍ ମସ୍କଙ୍କ ଡବଲ୍ ସେଞ୍ଚୁରୀ, ୨୦୦ ବିଲିୟନ ଡଲାର ଟପିଲା ଟେସଲା ସିଇଓଙ୍କ ସମ୍ପତ୍ତି
6/06/2023 at 2:32 PM

ନୂଆଦିଲ୍ଲୀ ୦୬।୦୬: ଆଉ ଏକ ଲମ୍ବା ଡିଆଁ ମାରିଲେ ଟେସଲା ସିଇଓ ଏଲନ୍ ମସ୍କ । ପୁଣି ବଢିଲା ମସ୍କଙ୍କ ସମ୍ପତ୍ତି । ୨୦୦ ଡଲାର ଟପିଲା ବିଶ୍ବର ନଂ୧ ଧନୀଙ୍କ ନେଟଓ୍ବର୍ଥ । ସେ ନିକଟ ଅତୀତରେ ଫ୍ରାନ୍ସ ଅରବପତି ବର୍ନାର୍ଡ ଆର୍ନାଲ୍ଟଙ୍କୁ ପଛରେ ପକାଇ ପିନ୍ଧିଥିଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମୁକୁଟ । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ମସ୍କର ସମ୍ପତ୍ତି ଗତ ୨୪ ଘଣ୍ଟାରେ ୨.୬୦ ବିଲିୟନ ଡ଼ଲାରର ବୃଦ୍ଧି ପାଇଛି । ଏହି ବୃଦ୍ଧି ସହିତ ତାଙ୍କର ମୋଟ ମୂଲ୍ୟ ୨୦୨ ବିଲିୟନ ଡ଼ଲାରରେ ପହଞ୍ଚିଛି ।

ମସ୍କଙ୍କ ଇଲେକ୍ଟ୍ରିକ୍ କାର ଟେସଲାର ସେୟାର କ୍ରମାଗତ ବୃଦ୍ଧି ପାଇବାରୁ ତାଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଛି । ଟେସଲା ଇଙ୍କ୍ ଷ୍ଟକ୍ ସୋମବାର ଦିନ ସେୟାର ପିଛା ୩.୦୬ ପ୍ରତିଶତରୁ ବଢି ୨୨୦.୫୨ ଡଲାରରେ ବନ୍ଦ ହୋଇଥିଲା । ଗତ ଏକ ମାସ ମଧ୍ୟରେ ଟେସଲା ଷ୍ଟକ ମୂଲ୍ୟରେ ୨୮.୩୭ ପ୍ରତିଶତ ବୃଦ୍ଧି ଘଟିଛି । ଏଥି ସହିତ ଗତ ପାଞ୍ଚ ଦିନରେ ଏହାର ମୂଲ୍ୟ ୧୦.୨୬ ପ୍ରତିଶତ ବୃଦ୍ଧି ପାଇଛି ।

ଟପ୍-୧୦ ଅରବପତିଙ୍କ ତାଲିକାକୁ ଦେଖାଗଲେ, ବର୍ନାର୍ଡ ଆର୍ନାଲ୍ଟ ଏଲୋନ୍ ମସ୍କଙ୍କ ପରେ ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି । ସେ କିଛି ସମୟ ହେବ ବଡ଼ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଖବର ଲେଖା ହେବା ଯାଏଁ ତାଙ୍କ ନିଟ୍ ମୂଲ୍ୟରେ ୨.୯୦ ବିଲିୟନ ଡ଼ଲାରର ହ୍ରାସ ଦେଖିବାକୁ ମିଳିଛି । ଏହି କ୍ଷତି ଅନୁଯାୟୀ ୧୮୮ ବିଲିୟନ ଡ଼ଲାରକୁ ଖସି ଆସିଛନ୍ତି ଆର୍ନାଲ୍ଟ ।

ତାଙ୍କ ପଛକୁ ଅର୍ଥାତ୍ ତୃତୀୟରେ ଅଛନ୍ତି ଜେଫ୍ ବେଜୋସ୍ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୪୯ ବିଲିୟନ ଡ଼ଲାର୍ । ସେହିପରି ବିଲ୍ ଗେଟ୍ସ ୧୨୯ ବିଲିୟନ ଡ଼ଲାର୍ ସହିତ ଚତୁର୍ଥ ସ୍ଥାନରେ, ଲ୍ୟାରି ଏଲିସନ୍ ୧୨୦ ଡଲାର ସହ ପଞ୍ଚମ ଏବଂ ଷ୍ଟିଭ୍ ବଲମର୍ ୧୧୬ ଡଲାର ସହ ଷଷ୍ଠ ଧନୀ ବ୍ୟକ୍ତି ଅଟନ୍ତି । ଏଥିସହିତ ୱାରେନ୍ ବଫେଟ୍ କ୍ଷତି ସହିଛନ୍ତି ଏବଂ ସେ ୧୧୫ ବିଲିୟନ ଡ଼ଲାର୍ ମୋଟ ସମ୍ପତ୍ତି ସହ ସପ୍ତମ ସ୍ଥାନରେ ଅଛନ୍ତି । ସେହିପରି ୧୧୪ ବିଲିୟନ ଡ଼ଲାର୍ ସହିତ ଲ୍ୟାରି ପେଜ୍ ଅଷ୍ଟମ, ୧୦୮ ବିଲିୟନ ଡ଼ଲାର୍ ସହିତ ନବମ ଏବଂ ମାର୍କ ଜୁକରବର୍ଗ ୯୮.୯ ବିଲିୟନ ଡ଼ଲାର୍ ସହିତ ଦଶମ ସ୍ଥାନରେ ଅଛନ୍ତି।

ବିଶ୍ବ ଧନୀ ଅରବପତି ତାଲିକାର ୧୩ତମ ସ୍ଥାନରେ ଅଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ତାଙ୍କ ସମ୍ପତ୍ତି ୮୫ ବିଲିୟନ ଡ଼ଲାରରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ଚଳିତ ବର୍ଷ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ୧୩୬ ମିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏହାସହିତ ଆଦାନୀ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ୧୯ତମ ସ୍ଥାନରେ ଅଛନ୍ତି । ତାଙ୍କ ମୋଟ ସମ୍ପତ୍ତି ୬୧.୭ ବିଲିୟନ ଡ଼ଲାର ଅଟେ ।
You Can Read: