ମୁଁ ଟ୍ୱିଟର ସିଇଓ ପଦରୁ ଇସ୍ତଫା ଦେବା ଉଚିତ କି ? ପୋଲ୍ କ୍ରିଏଟ କରି ଜନମତ ସଂଗ୍ରହ କଲେ ମସ୍କ, ଅଧିକାଂଶ ୟୁଜର କହିଲେ…
19/12/2022 at 8:08 AM

ୱାଶିଂଟନ ଡିସି: ଏଲନ ମସ୍କ ଯେବେଠାରୁ ଟ୍ୱିଟର କିଣିଲେଣି ସେବେଠାରୁ କମ୍ପାନୀରେ କିଛି ନା କିଛି ବଡ଼ ଧରଣର ପରିବର୍ତ୍ତନ ହେବାରେ ଲାଗିଛି। କେବେ କର୍ମଚାରୀ ଛଟେଇ ତ କେବେ ବ୍ଲୁଟିକ୍ ପାଇଁ ଚାର୍ଜ ଭଳି ପରିବର୍ତ୍ତନ ହେଉଛି। ଏସବୁ ଭିତରେ ମସ୍କଙ୍କୁ କେବେ ସମାଲୋଚନାର ଶିକାର ହେବାକୁ ପଡ଼ୁଛି ତ କେବେ ପ୍ରଶଂସା। ହେଲେ ସେ ଏବେ ଟ୍ୱିଟରର ସିଇଓ ପଦରୁ ହଟିବାକୁ ଚିନ୍ତା କଲେଣି। ଏଥିପାଇଁ ସେ ଜନତାଙ୍କ ରାୟ ବି ମାଗିଛନ୍ତି ।
ଟ୍ୱିଟରରେ ଏକ ପୋଲ କ୍ରିଏଟ କରି ଜନମତ ସଂଗ୍ରହ କରୁଛନ୍ତି। ଜମନତ ଆଧାରରେ ହିଁ ସେ ନିଷ୍ପତ୍ତି ନେବେ ବୋଲି ମସ୍କ କହିଛନ୍ତି। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି “ ମୁଁ ଟ୍ୱିଟରର ମୁଖ୍ୟ ପଦରୁ ଇସ୍ତଫା ଦେବା ଉଚିତ୍ ହେବ କି? ଏହି ପୋଲ୍ରେ ଯାହା ଫଳାଫଳ ଆସିବ ମୁଁ ତାକୁ ପାଳନ କରିବି।”
Should I step down as head of Twitter? I will abide by the results of this poll.
— Elon Musk (@elonmusk) December 18, 2022
୮ ଘଣ୍ଟା ପୂର୍ବରୁ ହୋଇଥିବା ଏହି ଟ୍ୱିଟ୍ରେ ବହୁ ସଂଖ୍ୟାର ୟୁଜର ନିଜର ମତ ଦେଇଥିଲେ। ଅଧିକଂଶ ୟୁଜର ମସ୍କ ବିରୋଧରେ ମତ ଦେଇଥିଲେ। ୫୭.୬ ପ୍ରତିଶତ ୟୁଜର ହଁ କହିଥିବା ବେଳେ ୪୨.୪ ପ୍ରତିଶତ ନାଁ କହିଥିଲେ। ଏହା ପୂର୍ବରୁ ମଧ୍ୟ ମସ୍କ ନିଜେ ଟ୍ୱିଟର ସିଇଓ ହେବାକୁ ଚାହାନ୍ତି ନାହିଁ ବୋଲି କହିଥିଲେ।
ଏଥିପାଇଁ ସେ ଯୋଗ୍ୟ ବ୍ୟକ୍ତି ଖୋଜୁଛନ୍ତି ଯାହାଙ୍କ ହାତରେ ଟ୍ୱିଟର ଦେବେ ବୋଲି ମସ୍କ କହିଥିଲେ। ସେ ଟ୍ୱିଟରରେ ଧ୍ୟାନ ଦେବା ଦିନଠାରୁ ଟେସ୍ଲା ଓ ଷ୍ଟାର୍ଲିଙ୍କ ବ୍ୟବସାୟକୁ ଅବହେଳା କରୁଛନ୍ତି ଯାହାକୁ ନେଇ ମସ୍କଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ୁଛି।
ମସ୍କ ଟ୍ୱିଟର ଦାୟିତ୍ୱ ସମ୍ଭାଳିବା ପର ଠାରୁ ଅନେକ ଅପ୍ରିତକର ନିଷ୍ପତ୍ତି ନେଇ ଚର୍ଚ୍ଚାରେ ରହୁଛନ୍ତି। ଟ୍ୱିଟର ପୂର୍ବତନ ସିଇଓ ପରାଗ ଅଗରୱାଲ୍ଙ୍କ ସମେତ କର୍ମଚାରୀଙ୍କୁ ଛଟେଇ କରିବା। ଅନ୍ୟକୌଣସି ସୋସିଆଲ୍ ମିଡିଆ ଯଥା-ଫେସ୍ବୁକ, ଇନ୍ଷ୍ଟା ଆଦିର ଲିଙ୍କ ଶେୟାର ନ କରିବା ଭଳି ନିଷ୍ପତ୍ତି ନେଇଥିଲେ।ତା ସହିତ ବଡ଼ ବଡ଼ ସାମ୍ବାଦିକଙ୍କ ଆକାଉଣ୍ଟ ବ୍ଲକ୍ କରିବା ଆଦି ନିଷ୍ପତ୍ତି ନେଇଛନ୍ତି। ସାମ୍ବାଦିକଙ୍କ ଆକାଉଣ୍ଟ ବ୍ଲକ୍ କରିବା ପରେ ଜାତିସଂଘ ସଚିବ ଅଣ୍ଟୋନିଓ ଗୁଟର୍ରସ ଏହାକୁ ନିନ୍ଦା କରିଥିଲେ। ଅନେକ ସମାଲୋଚନା ହେବା ପରେ ମସ୍କ ସାମ୍ବାଦିକମାନଙ୍କର ଆକାଉଣ୍ଟକୁ ପୁଣି ରିଷ୍ଟୋର କରିଥିଲେ।