ଦେବଗଡ: ଦୁର୍ଘଟଣାରେ ଆହତ ହାତୀର ଚିକିତ୍ସା ଜାରି, ପିକ୍ ଅପ୍ ଭ୍ୟାନ୍ ଦେଇଥିଲା ଧକ୍କା
23/06/2022 at 4:29 PM

ଦେବଗଡ : ସତେ ଯେମିତି ଲାଗୁଛି ହାତୀ ବଂଶ ପ୍ରତି ଶନିଙ୍କ କୋପ ଦୃଷ୍ଟି ଲାଗିଛି। ଆଠଗଡ ଏବଂ ସମ୍ବଲପୁରରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ହାତୀଙ୍କ ମୃତ୍ୟୁ ଘଟି ସାରିଛି। ଏବେ ଦେବଗଡରୁ ହାତୀ ଆହତ ହେବାର ଚିତ୍ର ସାମ୍ନାକୁ ଆସିଛି। ଗତ ୧୯ ତାରିଖରେ ୪୯9 ନମ୍ବର ଜାତୀୟ ରାଜପଥର ବଂଜାରୀ ଗ୍ରାମ ନିକଟରେ ଏକ ପିକ୍ ଅପ୍ ଭ୍ୟାନ ଧକ୍କାରେ ଆହତ ମାଇ ହାତୀର ଚିକିତ୍ସା ଜାରି ରହିଛି ।
ଗତ ରବିବାର ୨୩ ଟିକିଆ ହାତୀ ପଲ ବଂଜାରୀ ଗ୍ରାମ ନିକଟରେ ୪୯ ନମ୍ବର ଜାତୀୟ ରାଜପଥ ପାର କରୁଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ପିକ୍ ଅପ୍ ଭ୍ୟାନ ମାଇ ହାତୀକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ହାତୀଟି ଆହତ ହୋଇଥିବା ବେଳେ ଅନ୍ୟ ହାତୀ ପଲ ତାକୁ ଛାଡି ଦେଇ ଚାଲିଯାଇଥିଲେ। ସେହି ଦିନଠାରୁ ହାତୀଟି ଛୋଟେଇ ଛୋଟେଇ ପ୍ରଥମେ ପ୍ରଭାଶୁଣୀ ସଂରକ୍ଷିତ ଜଙ୍ଗଲ ର ବର୍ହାମୁଣ୍ଡି ଜଙ୍ଗଲରେ ରହିଥିଲା ।
ଦେବଗଡ ଡିଏଫଓ ମଗର ଧାନଜୀ ରାଓସୋଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହାତୀକୁ ସମତଳ ଭୂମିକୁ ଆଣିବାକୁ ଚେଷ୍ଟା ଜାରି ରହିଥିଲା । ବୁଧବାର ଆହତ ହାତୀ ଟି ନିକଟସ୍ଥ କଂସର ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ଆସିବା ପରେ ତାର ଚିକିତ୍ସା ଆରମ୍ଭ ହୋଇଥିଲା। ଶିମିଳିପାଳରୁ ଡାକ୍ତର ବିକ୍ରମ କୁମାରଙ୍କ ନେତୃତ୍ଵରେ ଆସିଥିବା ଟିମ ହାତୀର ଚିକିତ୍ସା କରିଛନ୍ତି । ଗୁରୁବାର ଦ୍ବିତୀୟ ଦିନରେ ମଧ୍ୟ ହାତୀ ର ଚିକିତ୍ସା କରାଯାଇଥିବା ବେଳେ ସେ ସୁସ୍ଥ ହେଉଥିବା ଦେବଗଡ ଡିଏଫଓ ସୂଚନା ଦେଇଛନ୍ତି।