ସୁନ୍ଦରୀ ଅପରେସନ ପାଇଁ ଯାଇଥିବା ହାତୀ ଯଶୋଦା ଦଳି ମାରିଦେଲା ଜଣଙ୍କୁ

Published By : Prameya-News7 Bureau | November 08, 2018 IST

ଅନୁଗୋଳ ୮|୧୧:  ଅନୁଗୋଳ ପୁରୁଣାକୋଟ ରେଞ୍ଜ୍ ରେ କୁଂକୀ ହାତୀ ଯଶୋଦାର ଉନ୍ମତକାଣ୍ଡ । ଆଜି ତାକୁ ଖାଇବାକୁ ଦେବାବେଳେ ଜଣଙ୍କୁ ଦଳି ମାରିଦେଇଛି । ଏହି ସୂଚନା ଦେଇଛନ୍ତି ପିସିସିଏଫ ସନ୍ଦୀପ ତ୍ରିପାଠୀ । ବାଘୁଣୀ ସୁନ୍ଦରୀ ଧରିବା ଅପରେସନ ପାଇଁ ଚନ୍ଦକାରୁ ଯଶୋଦାକୁ ସାତକୋଶିଆ ନିଆଯାଇଥିଲା । ଯଶୋଦା ପିଠିରେ ବସି ହିଁ ବିଶେଷଜ୍ଞ ଦଳ ସୁନ୍ଦରୀ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିଥିଲେ । ସୁନ୍ଦରୀକୁ ଧରିବା ଅପରେସନ ସରିବା ପରେ ଦିନେ ଦୁଇ ଦିନ ଭିତରେ ଯଶୋଦାକୁ ଚନ୍ଦକା ଅଣାଯାଇଥାନ୍ତା । କିନ୍ତୁ ଆଜି ପୁରୁଣାକୋଟ ରେଞ୍ଜ ରେ ତାକୁ ଖାଇବାକୁ ଦେବାବେଳେ ଏହି ଅଘଟଣ ଘଟିଛି । ସୂଚନାଯୋଗ୍ୟ ଯେ, ଚନ୍ଦକାର କୁଂକୀ ହାତୀ ଯଶୋଦା ଓ ତାର ପୁଅ ନନ୍ଦ ଉଭୟ ସାତକୋଶିଆ ଯିବାର ଥିଲା । କିନ୍ତୁ ନନ୍ଦ ଟ୍ରକରେ ଚଢିନଥିଲା ଓ ଅମାନିଆ ହୋଇଥିଲା । ଫଳରେ କେବଳ ଯଶୋଦାକୁ ସାତକୋଶିଆ ନିଆଯାଇଥିଲା । ପୂର୍ବରୁ ମଧ୍ୟ ୨ଜଣ ମାହୁନ୍ତଙ୍କୁ ଯଶୋଦା ଚନ୍ଦକାରେ ଦଳି ମାରିଥିବା ବଦନାମ ତା ନାଁରେ ରହିଛି । ତେବେ ଆଜି କେଉଁ ପରିସ୍ଥିତିରେ ଓ କାହିଁକି ଯଶୋଦା ଉନ୍ମତ ହେଲା ତାହା ଜଣାପଡିନାହିଁ । ଯଶୋଦାର ବୟସ ପାଖାପାଖି ୩୦ବର୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.