ଦଶହରା ମେଳାରେ ହାତୀ ଉପଦ୍ରବ, କାର୍-ବାଇକ୍ ଭାଙ୍ଗିଲା, ଜୀବନ ବଞ୍ଚାଇବାକୁ ଦୌଡ଼ିଲେ ଲୋକେ

Published By : Prameya-News7 Bureau | October 14, 2024 IST

ପାଟନା: ବିହାରର ଛପରା ଜିଲ୍ଲାରେ ଦଶହାର ଶୋଭାଯାତ୍ରା ବେଳେ ହାତୀ ଉପଦ୍ରବ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟ ଏବଂ ଆତଙ୍କ ଖେଳି ଯାଇଥିଲା । ଶୋଭାଯାତ୍ରାରେ ସାମିଲ ଥିବା ଗୋଟିଏ ହାତୀ ବେକାବୁ ହୋଇ ଆଖପାଖରେ ଥିବା ଅନେକ ଗାଡ଼ିକୁ ଭାଙ୍ଗି ରୁଜି ନଷ୍ଟ କରି ଦେଇଥିଲା । ଘଟଣାଟି ଶନିବାର ବୋଲି ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଛପରା ଏକତା ଥାନା ଅନ୍ତର୍ଗତ ଭୁଇଲି ଗାଁରେ ଦଶହାର ମେଳା ଚାଲିଥାଏ । ତେବେ ଏହି ସମୟରେ ହାତୀଟି ଆକ୍ରାମକ ହୋଇ ଉଠିଥିଲା । ପ୍ରାୟ ଏକ ଘଣ୍ଟା ଯାଏ ମେଳାରେ ଉତ୍ପାତ କରିଥିଲା ।

ସାମନାରେ ଯେଉଁ ଗାଡ଼ି ଦେଖାଗଲା, ତାକୁ ନଷ୍ଟ କରି ଚାଲିଲା । ଲୋକେ ଭୟରେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ାଦୌଡ଼ି କରିଥିଲେ ।


ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଦୁର୍ଗା ପୂଜା ଅବସରରେ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହେବା ପାଇଁ ହାତୀ ଅଣାଯାଇଥିଲା । ସବୁକିଛି ସ୍ୱାଭାବିକ ଚାଲିଥିଲା ଏବଂ ହାତୀ ମଜାରେ ଚାଲି ଚାଲି ଆଗକୁ ବଢୁଥିଲା । କିନ୍ତୁ ସାମନାରେ ଏକ ଧଳା ରଙ୍ଗର କାର ଦେଖିବା ପରେ ହଠାତ୍ ବେକାବୁ ହୋଇଥିଲା । ପରେ ମେଳାର ମୁଖ୍ୟ ରାସ୍ତାରେ ଉତ୍ପାତ କରିବା ଆରମ୍ଭ କରିଥିଲା । ଏହି ସମୟରେ ସେ ଦୁଇଟି କାର୍ ଏବଂ ତିନି ମୋଟର ସାଇକେଲକୁ ଦଳି ଚକଟି ନଷ୍ଟ କରିଦେଇଥିଲା ।

ପ୍ରାୟ ଏକ ଘଣ୍ଟା ପରେ ସ୍ଥାନୀୟ ପୋଲିସ, ମେଳାର ଆୟୋଜକ ଏବଂ ହାତୀର ମାହୁନ୍ତଙ୍କ ସାହାଯ୍ୟରେ ହାତୀକୁ କାବୁ କରାଯାଇଥିଲା । ଘଟଣା ପରେ ବନ ବିଭାଗ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ହାତୀର ଯାଞ୍ଚ କରିଥିଲେ । ବନ ବିଭାଗ ଅଧିକାରୀ ହାତୀ ଉତ୍ତେଜିତ ହେବା ପଛର ଯାଞ୍ଚ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.