ହାତୀ ବଳରାମର ମୃତ୍ୟୁର ପ୍ରତିଶୋଧ ନେଲା ରାମ, ଗାଁ ଲୋକଙ୍କ ଉପରେ କଲା ଆକ୍ରମଣ, ୨ ଗୁରୁତର

Published By : Prameya-News7 Bureau | November 30, 2020 IST

ଭୋପାଳ ୩୦।୧୧: ଗତ ଦିନରେ ଦୁଇ ଜଙ୍ଗଲୀ ହାତୀ ବାଟବଣା ହୋଇ ଜବଲପୁରର ବରଗୀ ଅଞ୍ଚଳକୁ ଚାଲି ଆସିଥିଲେ। ବଳରାମ ଓ ରାମର ଏହି ଯୋଡି ହାତୀ ଦୁଇ ବର୍ଷ ପୂର୍ବେ ଓଡିଶାରୁ ବାଟ ହୁଡି ମଧ୍ୟ ପ୍ରଦେଶ ଚାଲି ଆସିଥିଲେ। ହେଲେ ଏହି ସମୟରେ ବିଦ୍ୟୁତ୍ ଆଘାତରେ ତିନି ଦିନ ପୂର୍ବେ ବଳରାମର ମୃତ୍ୟୁ ଘଟିଥିଲା। ଏହା ପରଠୁ ହାତୀ ରାମ ଏଣେ ତେଣେ ଘୂରି ବୁଲୁଥିଲା। ଘଟଣାସ୍ଥଳଠୁ ୪୮ କିଲୋମିଟର ଦୂରରେ ସ୍ଥିତ ମଣ୍ଡଲା ଜିଲ୍ଲାର କିଛି ଗାଁ ଲୋକଙ୍କ ଉପରେ ରାମ ଆକ୍ରମଣ କରିଛି। କୁହାଯାଉଛି ଯେ, ରାମ ହାତୀ ବଳରାମ ମୃତ୍ୟୁର ପ୍ରତିଶୋଧ ନେଇଛି।

ରାମ ବୈଗା ଜନଜାତିର ଦୁଇ ଜଣଙ୍କ ଉପରେ ଆକ୍ରମଣ କରିଛି। ବନ ବିଭାଗର ଅଧିକାରୀଙ୍କ ଅନୁଯାୟୀ ପ୍ରତିଶୋଧପରାୟଣ ହୋଇ ହାତୀ ଆକ୍ରମଣ କରି ଥାଇପାରେ। କାରଣ ଏଠାରୁ ୪୮ କିଲୋମିଟର ଦୂରରେ ବଳରାମର ମୃତ୍ୟୁ ଘଟିଛି। ଜଙ୍ଗଲରେ ଘୁଷୁରିର ବେଆଇନ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀ ବଳରାମର ମୃତ୍ୟୁ  ଘଟିଥିଲା। ଜବଲପୁରର ସିସିଏଫ ଏଚଡି ମେହିଲେ କହିଛନ୍ତି, ହାତୀ ଜଣଙ୍କ ପିଠିରେ ଆକ୍ରମଣ କରିଛି ଥିବା ବେଳେ ଅନ୍ୟ ବ୍ୟକ୍ତିଙ୍କୁ ଧରି କଚାଡି ଦେଇଛି। ଏଥିସହ ଦଳି ଚକଟି ମାରିବାକୁ ଚେଷ୍ଟା କରିଛି। ସୌଭାଗ୍ୟବଶତଃ ଦୁଇ ଜଣ ସେଠୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ହାତୀ ଆକ୍ରମଣ କରିବା ସମୟରେ ଗାଁ ଲୋକ ନିଜ ଖେତରେ  କାମ କରୁଥିଲେ।

ଦୁଇ ଆହତ ବ୍ୟକ୍ତି ହେଉଛନ୍ତି ୪୮ ବର୍ଷୀୟ ଭଗତ ସିଂହ ବୈଗା ଓ ୫୪ ବର୍ଷୀୟ ରାଜ କୁମାର। ଉଭୟ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି। ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସୁଛି। ଜବଲପୁର ସିସିଏଫ କହିଛନ୍ତି ଏହି ଜଙ୍ଗଲି  ହାତୀକୁ ଧରିବା ଲାଗି କର୍ଣ୍ଣାଟକରୁ ବିଶେଷଜ୍ଞଙ୍କୁ ଡକାଯାଇଛି। ଏହା ସହ କାହ୍ନା ଜାତୀୟ ଉଦ୍ୟାନର ଟିମ୍ ମଧ୍ୟ ହାତୀ ରାମକୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି।

ଯୋଡି ଥିଲେ ରାମ-ବଳରାମ

ରାମ-ବଳରାମ ଅବିଭକ୍ତ ଦୁଇ ଯୋଡି ଜଙ୍ଗଲୀ ହାତୀ ଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତାକୁ ଦେଖି ଦୁଇ ହାତୀଙ୍କୁ ରାମ-ବଳରାମ ନାମ ଦିଆଯାଇଛି। ବଳରାମର ଶବ ଶୁକ୍ରବାର ଜବଲପୁର ଜିଲ୍ଲା ମୁଖ୍ୟାଳୟଠୁ ପ୍ରାୟ ୨୫ କିଲୋମିଟର ଦୂର ବର୍ଗି ରେଞ୍ଜର ମୋହାସ କ୍ଷେତ୍ରରୁ ମିଳିଥିଲା। ରାମ ଓ ବଳରାମ ଦୁଇ ବର୍ଷେ ପୂର୍ବେ ଓଡିଶାରୁ ଆସିଥିଲେ। ନର୍ମଦା ନଦୀ କୂଳରେ ସ୍ଥିତ ଗାଁରୁ ବାଟ ହୁଡି ବାଲାଘାଟ, ଡିଣ୍ଡୋରି, ମଣ୍ଡଳା, ନରସିଂହପୁର ଓ ଉମରିଆ ଜିଲ୍ଲା ଦେଇ ଆସିଥିଲେ। ସେଠାରେ ମହୁଲ ଫୁଲ ସଂଗ୍ରହ କରୁଥିବା ଜଣେ ଲୋକଙ୍କୁ ହତ୍ୟା କରିଥିଲେ।

ଅଧିକାରୀ କହିଛନ୍ତି, ମଙ୍ଗେଲି, ମୋହାସ ଓ ଜାମତାଡରେ କ୍ଷୟକ୍ଷତିର କୌଣସି ସୂଚନା ନାହିଁ। ଯୋଡିଙ୍କୁ ଅନ୍ତିମ ଥର ଜବଲପୁରର ମଙ୍ଗେଲି ଅଞ୍ଚଳରେ ଗୁରୁବାର ଦେଖିବାକୁ ମିଳିଥିଲା। ଏଠାରୁ ୩୦ କିଲୋମିଟର ଦୂରରେ ହାତୀ ବଳରାମର ଶବ ମିଳିଥିଲା। ଏହା ପରଠୁ ବନବିଭାଗ ରାମକୁ ଖୋଜୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.