ରାଜ୍ୟରେ ହାତୀ ବଂଶ ଅସୁରକ୍ଷିତ, ୧୦ ଦିନ ଭିତରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | November 26, 2024 IST

କଟକ: ରାଜ୍ୟରେ ହାତୀ ବଂଶ ଅସୁରକ୍ଷିତ। ପିସିସିଏଫଙ୍କ ପକ୍ଷରୁ ଆଜି ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠ ଏହାହିଁ ଦର୍ଶାଉଛି। କାରଣ ୨୦୨୧ ରୁ ଚଳିତ ବର୍ଷ ନଭେମ୍ବର ସୁଦ୍ଧା କେବଳ ବିଦ୍ୟୁତ ଆଘାତରେ ୮୫ ଟି ହାତୀ ମୃତ୍ୟୁ ବରଣ କଲେଣି। ଆଜି ହାଇକୋର୍ଟରେ ଏଭଳି ତଥ୍ୟ ରଖିଛନ୍ତି ରାଜ୍ୟ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ। ତେଣୁ ହାତୀ ମାନଙ୍କ ସୁରକ୍ଷା ଲାଗି ତୁରନ୍ତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଲାଗି ଆଜି ପିସିସିଏଫଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। 

Also read: ରାଜ୍ୟରେ ଅଛନ୍ତି କେତେ ହାତୀ ? ବୁଧବାର ଆସିବ ବିସ୍ତୃତ ରିପୋର୍ଟ

ମାମଲାର ଶୁଣାଣି କରି ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କ ସହ ଆଲୋଚନା କରି ୧୦ ଦିନ ମଧ୍ୟରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଲାଗି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ବିଦ୍ୟୁତ ଆଘାତ କାରଣରୁ ଗୋଟିଏ ଦିନରେ ୩ ଟି ହାତୀ ଅକାଳ ମୃତ୍ୟୁ ଘଟିଥିଲା, ଯାହାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ନିଜଆଡୁ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ଆଜି ଦିନ ଧାର୍ଯ୍ୟ ହୋଇଛି।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲାର ରେଢାଖୋଲ ଡିଭିଜନ ଅନ୍ତର୍ଗତ ନାକଟିଦେଉଳୁ ବନଖଣ୍ଡରେ ବିଦ୍ୟୁତ୍ ଲାଗି ୩ ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଥିଲା। ହାଇକୋର୍ଟ ନିଜ ଆଡ଼ୁ ହସ୍ତକ୍ଷେପ କରି ତୁରନ୍ତ ଏହା ଉପରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଆଦେଶ ଦେଇଥିଲେ। 

ଉଲ୍ଲେଖନୀୟ ରାଜ୍ୟରେ ଶୀତକାଳୀନ ହାତୀ ଗଣନା ସରିଛି । ବୁଧବାର ଏହା ଉପରେ ବିସ୍ତୃତ ରିପୋର୍ଟ ଆସିବ । ଏଥିରୁ ଜଣାପଡିବ ରାଜ୍ୟରେ ଅଛନ୍ତି କେତେ ହାତୀ ? ଏହି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ।  ଏବେ ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି । ଯେମିତି କୌଣସି ହାତୀ ୨ଥର ଗଣତି ନହୁଏ ସେଥିପାଇଁ ଫିଲ୍ଡ ଡାଟାର ତାଳମେଳ କରାଯାଉଛି । ଜିପିଏସକୁ ତନ୍ନତନ୍ନ ଯାଞ୍ଚ କରାଯାଉଛି । ଖରା ଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀ ଗୁଡିକ ଅଭୟାରଣ୍ୟ ଭିତରେ ଥିଲେ ଏବେ ସେମାନେ ଜନବସତିମୁହାଁ ହୋଇଛନ୍ତି,ସେସବୁ ତଥ୍ୟ ଏକାଠି କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.