ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ

Published By : Prameya-News7 Bureau | November 27, 2021 IST

ନୀଳଗିରି,୨୭|୧୧:  ଫେରିଗଲେ ଝାଡ଼ଖଣ୍ଡ ହାତୀପଲ। ଚାଷୀକୁଳ ସାମାନ୍ୟ ଆଶ୍ୱସ୍ତି ହୋଇଛନ୍ତି ସତ ହେଲେ ବ୍ୟାପକ କ୍ଷୟକ୍ଷତି ପାଇଁ ଚିନ୍ତାରେ ପଡିଛନ୍ତି।

ଗୁରୁବାର ଭୋର ସମୟରେ ମୟୁରଭଞ୍ଜ ଜିଲ୍ଲା ନଡ଼ପୁର ଜଙ୍ଗଲରୁ ୧୬ଟି ହାତୀ ନୀଳଗିରି ଅଞ୍ଚଳକୁ ପଶି ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ଥିଲେ। ବୁଧବାର ସନ୍ଧ୍ୟାଠାରୁ ରାତିସାରା ଧାନଫସଲରେ ବ୍ୟାପକ ଉପଦ୍ରଵ ଚଳାଇଥିଲେ। ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ହାତୀଗୁଡିକୁ ଘଉଡାଇବା ପାଇଁ ଦାବି କରିଥିଲେ।

ନୀଳଗିରି ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା ,ନୀଳଗିରି ଫରେଷ୍ଟର ଦେବରାଜ ରାଉତ, ମିତ୍ରପୁର ଫରେଷ୍ଟର ସରୋଜ ପ୍ରଧାନ, ସଜନାଗଡ଼ ଫରେଷ୍ଟର ଶ୍ରୀଧର ଲେଙ୍କାଙ୍କ ସମେତ ଗାର୍ଡ, ସବୁଜବାହିନୀ ଓ କିଛି ଗ୍ରାମବାସୀ ହାତୀପଲକୁ ଘଉଡ଼ାଇଥିଲେ । ହାତୀଗୁଡିକ ଗୁରୁବାର ଭୋର ସମୟରେ ନୀଳଗିରି ଛାଡି ପୁଣି ନଡ଼ପୁର ଜଙ୍ଗଲକୁ ପ୍ରବେଶ କରିଛନ୍ତି। ତେବେ ରାସଗୋବିନ୍ଦପୁର ଅଞ୍ଚଳରେ ଆଉ ୧୬ଟି ହାତୀ ଥିବାବେଳେ ତା ପଛକୁ ଓଡିଶା ସୀମାନ୍ତରେ ତପବନ ଜଙ୍ଗଲରେ ଆଉ ୪୦ଟିକିଆ ହାତୀପଲ ରହିଛନ୍ତି । ସେମାନେ ନଡ଼ପୁର ଜଙ୍ଗଲକୁ ଆସିଲେ ହୁଏତ ସବୁ ହାତୀପଲ ମିଳିତ ଭାବେ ପୁଣି ନୀଳଗିରି ଆସିପାରନ୍ତି ବୋଲି ଅନୁମାନ କରାଯାଉଛି।ତେବେ ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତଦନ୍ତ କରି କ୍ଷତିପୂରଣ ଦେବାକୁ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.