ଶିମିଳିପାଳରେ ହାତୀ ମୃତଦେହ ସତ୍କାର ଘଟଣା; ଆତ୍ମହତ୍ୟା ଉଦ୍ୟମ କରିଥିବା ବନ କର୍ମଚାରି ମୃତ

Published By : Prameya-News7 Bureau | December 16, 2022 IST

ବାରିପଦା ୧୬/୧୨: ଗତ ନଭେମ୍ବର ୭ ତାରିଖ ଶିମିଳିପାଳ ମୃତ ଦନ୍ତାହାତୀ ପୋଡି ଘଟଣାର ପ୍ରତ୍ୟକ୍ଷ ଦର୍ଶୀ ବନକର୍ମୀ ତୁରାମ ପୁର୍ତ୍ତିଙ୍କ ମୃତ୍ୟୁ । ଉପରିସ୍ତ କର୍ମଚାରୀଙ୍କ ଚାପରେ ପଡ଼ି ସେ ବିଷ ପିଇ ଆତ୍ମ ହତ୍ୟା ଉଦ୍ୟମ ରକରିଥିଲେ। ଏହାର ୪ଦିନ ପରେ  ଶୁକ୍ରବାର କଟକ ବଡ଼ ଡାକ୍ତରଖାନାରେ ସେ ଜୀବନ ହାରିଛନ୍ତି। ଏହି ଘଟଣାରେ ଗିରଫ ହୋଇ ୩ ବନାଧିକାରୀ ଜେଲରେ ଥିବା ବେଳେ ଆଜି ତୁରାମଙ୍କ ମୃତ୍ୟୁ ଘଟଣାକୁ ଅନ୍ୟ ମୋଡ ଦେଇଛି। ତୁରାମଙ୍କ ମୃତ୍ୟୁ ପାଇଁ ଅଭିଯୁକ୍ତ ଅଧିକାରୀ ମାନେ ଦାୟି ବୋଲି କହିବା ସହ ଜଙ୍ଗଲ ଭିତରେ ବିଷ କେଉଁଠୁ ଆସିଲା ଓ ବିଷରେ ମୃତ ହାତୀକୁ ହତ୍ୟା କରାଯାଇ ନାହିଁ ତ...? ଏଭଳି ସନ୍ଦେହ ପ୍ରକଟ କରୁଛନ୍ତି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ। କେବଳ ସେତିକି ନୁହେଁ ତୁରାମଙ୍କ ମୃତ୍ୟୁ  ପାଇଁ ଅଭିଯୁକ୍ତଙ୍କ ଉପରେ ହତ୍ୟା ଦଫା ମଧ୍ୟ ଲାଗିବା ଉଚିତ ବୋଲି ଯୁକ୍ତି ରଖିଛନ୍ତି ଭାନୁମିତ୍ର।

ଏ ଘଟଣାରେ ଶିମିଳିପାଳ ଆରସିସିଏଫଙ୍କ ପ୍ରତିକ୍ରିୟା ଯାହା ମିଳିଛି ସେଥିରେ ସେ ମୃତ ତୁରାମଙ୍କୁ ମଧ୍ୟ ଅନ୍ୟତମ  ଅଭିଯୁକ୍ତ କର୍ମଚାରୀ ଭାବେ ବିଚାର କରିଛନ୍ତି। ତାଙ୍କ ମୃତ୍ୟୁରେ ବିଭାଗୀୟ ସହାୟତା ମିଳିବ ସେକଥା କହିବା ସହିତ ଗିରଫ ଅଭିଯୁକ୍ତ ମାନଙ୍କ ସହିତ ତୁରାମଙ୍କ କଣ କଥାବାର୍ତ୍ତା ହୋଇଥିଲା ସେକଥା ତଦନ୍ତ କରି ସାରିବା ପରେ ଯାଇ ସେମାନଙ୍କ ବିରୁଦ୍ଧରେ କୌଣସି ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ବୋଲି ମତ ଦେଇଛନ୍ତି।

ଏହି ଘଟଣାରେ ଆଉ ଜଣେ ବନ କର୍ମଚାରୀ ଯାହାଙ୍କୁ ସତ ପଦାରେ ପଡିବା ଭୟରେ ଅଭିଯୁକ୍ତ ୩ ଅଧିକାରୀ ୯ ଦିନ ଯାଏଁ ଜଙ୍ଗଲରେ ଲୁଚାଇ ରଖିଥିଲେ ସେ ମଧ୍ୟ ଆଜି ମୁହଁ ଖୋଲିଛନ୍ତି। ସେ ହେଉଛନ୍ତି ଶିମିଳିପାଳ ବନ ବିଭାର ମାହୁନ୍ତ ତଥା ହାତୀ ତତ୍ତ୍ୱାବଧାରକ ଶାଙ୍ଖ ମାହାଲି। ଯେକି ପ୍ରଥମେ ହାତୀ ପୋଡି ଘଟଣା ବିଷୟରେ ଏସ.ଟି.ଆର୍‌ର ନିର୍ଦ୍ଦେଶକ ଓ ଉପ ନିର୍ଦ୍ଦେଶକଙ୍କୁ ଜଣାଇଥିଲେ। ପୁରା ଘଟଣା ବଖାଣିବା ସହ ବନରକ୍ଷୀମାନଙ୍କୁ ବନସୁରକ୍ଷା ଦାୟିତ୍ୱରେ ନ ଲଗାଇ ରେଞ୍ଜର ତଥା ବନ ଅଧିକାରୀମାନେ କିଭଳି ନିଜ ଘରକାମରେ ଲଗାନ୍ତି ଓ ସରକାରୀ  ତିଆରି କାମରେ ଲଗାଇ  ନିର୍ମାଣ ଶ୍ରମିକ ପାଇଁ  ଆସୁଥିବା ଅର୍ଥକୁ କିଭଳି ଆତ୍ମସାତ କରନ୍ତି ତାର ସାଙ୍ଘାତିକ ଖୁଲାସା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.