ବିଦ୍ୟୁତ ଆଘାତ ହେଲା କାଳ; ଆଖୁ ଖାଇବାକୁ ଆସି ଦନ୍ତାହାତୀର ମୃତ୍ୟୁ
14/01/2023 at 5:46 PM

ଆଠଗଡ଼ ୧୪/୦୧: ଆଖୁ ଖାଇବାକୁ ଆସି ଦନ୍ତା ହାତୀର ମୃତ୍ୟୁ। ଏପରି ଅଘଟଣ ଆଠଗଡ ବନଖଣ୍ଡ ଅଧୀନ ଖୁଣ୍ଟୁଣୀ ବନାଞ୍ଚଳର ଶଙ୍ଖପୋଇ ଜଙ୍ଗଲ ପାଖରେ ଥିବା ଏକ ଆଖୁ ବିଲରେ ଦେଖିବାକୁ ମିଳିଛି। ଫଗୁନାଥ ସାହୁ ନାମକ ଚାଷୀ ତାଙ୍କ ଆଖୁ ଚାଷକୁ ସୁରକ୍ଷା ଦେବାକୁ ବିଲ ଚାରିପଟେ ତାର ବାଡ଼ ଘେରି ବିଦ୍ୟୁତ ସଂଯୋଗ କରିଥିଲେ। ଏହି ବୈଦ୍ୟୁତିକ ତାରବାଡ଼ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଖବର ଅନୁସାରେ, ଖୁଣ୍ଟୁଣି ବନାଞ୍ଚଳରେ ମୃତ ଦନ୍ତା ହାତୀଟି ୩ ଦିନ ହେଲା ଘୁରି ବୁଲୁଥିଲା। ବନ କର୍ମଚାରୀମାନେ ତା ଉପରେ ତିକ୍ଷ୍ଣ ନଜର ରଖିଥିଲେ। କିନ୍ତୁ ଶୁକ୍ରବାର ବା ଗତରାତିରେ ଆଖୁ ଖାଇବାକୁ ଆସି ବିଦ୍ୟୁତ୍ ଆଘାତରେ ହାତୀଟି ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି। ଏହା ଜାଣି ଆଠଗଡ଼ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀର ବୟସ ପାଖାପାଖି ୧୫ରୁ ୧୮ ମଧ୍ୟରେ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ହାତୀଟିର ଶୁଣ୍ଢରେ ଗଭୀର ଆଘାତ ରହିଛି। ସେପଟେ ଆଠଗଡ଼ ପ୍ରାଣୀ ଚିକିତ୍ସାଧିକାରୀ ସୁଶାନ୍ତ ବେହେରା ହାତୀର ଶବ ବ୍ୟବଚ୍ଛେଦ କରି ପରୀକ୍ଷା ନିମନ୍ତେ ଲ୍ୟାବକୁ ପଠାଇଛନ୍ତି।