ତେଲକୋଇରେ ଥମୁନି ୩୦ଟିକିଆ ହାତୀପଲଙ୍କ ଉପଦ୍ରବ : ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
11/09/2022 at 9:03 AM

ତେଲକୋଇ ୧୧।୦୯: ତେଲକୋଇ ରେଞ୍ଜରେ ଥମୁନି ୩୦ଟିକିଆ ହାତୀପଲଙ୍କ ଉପଦ୍ରବ । କେତେବେଳେ ଧାନଫସଲ ଦଳିଚକଟି ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଘର ଭାଙ୍ଗି ଧାନଚାଉଳ ଖାଇଛନ୍ତି । ଯାହାକୁ ନେଇ ଲୋକେ ଏବେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ।
ଖବର ଅନୁଯାୟୀ,ଶନିବାର ବିଳମ୍ବିତ ରାତିରେ ପ୍ରାୟ ୨ଟା ସମୟରେ ବିମଳା ଫରେଷ୍ଟ ବିଟ୍ ଆକୁଳ ଗାଁ ମୁଣ୍ଡାସାହିରେ ୩୦ଟିକିଆ ହାତୀପଲ ପଶି ଆତଙ୍କ ଖେଳାଇଥିଲେ । ସନା ମୁଣ୍ଡାଙ୍କ ୫ଏକରରୁ ଅଧିକ ଧାନଫସଲକୁ ଦଳିଚକଟି ନଷ୍ଟ କରିଥିବା ବେଳେ ଶିବ ମୁଣ୍ଡାଙ୍କ ଘର ଭାଙ୍ଗିଛନ୍ତି । ଏପିରିକି ଘରେ ଆସବାବପତ୍ର ଦଳିଚକଟି ନଷ୍ଟ କରିଛନ୍ତି ।
ସେପଟେ ହାତୀ ପଲ ଘର ଭାଙ୍ଗିବା ଦେଖି ଗାଁ ଲୋକେ ଘଉଡାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ହାତୀପଲରେ ୪ଟି ଦନ୍ତା ଥିବାରୁ ସେମାନଙ୍କୁ ଆକ୍ରମଣ ପାଇଁ ଗୋଡାଇଥିଲେ । ଭୟରେ ସମସ୍ତେ ଘର ଛାଡି ଦୂରକୁ ଦୌଡିଥିଲେ । ଏନେଇ ଖବର ପାଇଥିଲେ ବି ବନବିଭାଗ ଘଟଣାସ୍ଥଳରେ ପହଞ୍ଚିନାହିଁ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।