ଚମ୍ପୁଆ ରେଞ୍ଜରେ ଧସେଇ ପଶିଲେ ୨୩ଟିକିଆ ହାତୀପଲ, ଭୟଭୀତ ଗାଁଲୋକେ
13/12/2022 at 11:36 AM

ପାଟଣା ୧୩।୧୨ : ପୁଣି ଧସେଇ ପଶିଲେ ହାତୀପଲ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ୨୩ ଟିକିଆ ହାତୀପଲ। ଯାହାଫଳରେ ଭୟଭୀତ ଅବସ୍ଥାରେ ଗାଁଲୋକେ ।
ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ହାତୀପଲ କରଞ୍ଜିଆ ରେଞ୍ଜରୁ ଆସି ପଦ୍ମପୁର ନିକଟରେ ବୈତରଣୀ ନଦୀ ପାର ହୋଇ ସକାଳୁ ସକାଳୁ ଚମ୍ପୁଆ ରେଞ୍ଜର ଝାଲିଆ ବେଡା ଜଙ୍ଗଲକୁ ଧସେଇ ପଶିଛନ୍ତି। ହାତୀପଲ ଆସିବା ବାଟରେ ବରପଦା, ପଦ୍ମପୁର, ମାଳିପଶି, ଜ୍ୟୋତିପୁର, ଝାଲିଆ ବେଡା ଅଞ୍ଚଳରେ ବ୍ୟାପକ ଧାନ ଫସଲ ଖାଇ ନଷ୍ଟ କରିଛନ୍ତି।
ଏବେ ହାତୀପଲ ଝାଲିଆ ବେଡା ଜଙ୍ଗଲରେ ଡେରା ପକାଇଛନ୍ତି। ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଆଖପାଖ ଗାଁ ନନ୍ଦପୁର, ଜ୍ୟୋତିପୁର, ଝାଲିଆବେଡା, ଷଡ଼ଙ୍ଗୀ ଫୁଲକଅଁଳେଇ, ପାରୁଡ଼ିପଶି ଓ ନିଉଣ୍ଡିଗାଁରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଖୁବ ଶୀଘ୍ର ଏହି ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବାକୁ ଦାବି କରିଛନ୍ତି ଲୋକେ।