ଗାଁ ନିକଟରେ ହାତୀପଲ, ଲୋକେ ଭୟଭୀତ

Published By : Prameya-News7 Bureau | September 06, 2022 IST

ପାଟଣା ୦୬।୦୯: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ। ୨୦ରୁ ଉର୍ଦ୍ଧ୍ଵ ଗାଁରେ ଆତଙ୍କ ଖେଳାଇବା ସହ ୧୦ରୁ ଉର୍ଦ୍ଧ୍ଵ ଘର ଭାଙ୍ଗି ସାରିଲେଣି ୨୨ ଟିକିଆ ହାତୀପଲ। ଚାଷ ଜମିରେ ପଶି ନଷ୍ଟ କରୁଛନ୍ତି ଏକର ଏକର ଧାନ ଫସଲ ସାଙ୍ଗକୁ ବୋଇତାଳୁ ଚାଷ। ହାତୀଙ୍କୁ ଘଉଡ଼ାଇବାରେ ନାକେଦମ୍ ହେଲାଣି ବନ ବିଭାଗ। ସେପଟେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇପଡ଼ିଲେଣି ଅଞ୍ଚଳବାସୀ।

ଖବର ଅନୁଯାୟୀ, ସାହରପଡ଼ା ସେକ୍ସନର ଟେଣ୍ଡେରା, ପୁରୁଣାପାଣି, ଟଭାସରୁଆ, ଖିଲାରୀ ପାଟ ନୂଆଗାଁ, ହରିହରପୁର ଘୁଣ୍ଟିବେଡ଼ା, ବରବେଡ଼ା ଆଦି ଗାଁରେ ହାତୀପଲ ଉତ୍ପାତ କରିବା ସହ ୧୦ରୁ ଉର୍ଦ୍ଧ୍ଵ ଘର ଭାଙ୍ଗି ଦେଇଛନ୍ତି। ଦୀର୍ଘ ଏକ ସପ୍ତାହରୁ ଉର୍ଦ୍ଧ୍ଵ ସମୟ ହେବ ହାତୀପଲଙ୍କ ଉପଦ୍ରବରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ସନ୍ଧ୍ୟା ହେଲେ ଲୋକଙ୍କୁ ହାତୀ ଭୟ ଘାରୁଛି। ସନ୍ଧ୍ୟା ପୂର୍ବରୁ ଗାଁ ମୁଣ୍ଡରେ ଉଭୟ ପୁରୁଷ ମହିଳା ଏବଂ ପିଲାମାନେ ଟର୍ଚ୍ଚ ଧରି ନିଆଁ ଜାଳିବା ସହ ବାଉଁଶ ଗେଟ୍ ଲଗାଇ ରାତି ଅନିଦ୍ରା ହୋଇ ଜଗି ରହୁଛନ୍ତି। ସେପଟେ ହାତୀପଲଙ୍କୁ ଦେଖିବା ପାଇଁ ଲୋକେ ଭିଡ଼ ଜମାଉ ଥିବାରୁ ହାତୀ ଘଉଡ଼ାଇବାରେ ବିଫଳ ହୋଇଛି ବନ ବିଭାଗ। ଡ଼ାକବାଜି ଯନ୍ତ୍ର ସହାୟତାରେ ଲୋକମାନଙ୍କୁ ସଚେତନ କରାଯାଉଛି। ଅପରପକ୍ଷରେ ହାତୀପଲଙ୍କୁ ଘଉଡ଼ାଇବାରେ ବିଫଳ ପାଇଁ ବନ ବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ହାତୀପଲ ଥିବାରୁ ସନ୍ଧ୍ୟା ହେଲେ ବିଦ୍ୟୁତ୍ ସେବାକୁ ବନ୍ଦ କରିଦେଉଥିବାରୁ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ।

ବ୍ୟାପକ ଜଙ୍ଗଲ ନଷ୍ଟ କାରଣରୁ ହାତୀପଲ ଏବେ ଗାଁ ମୁହାଁ ହେଉଛନ୍ତି। ପୁରୁଣା ପାଣି ଜଙ୍ଗଲରେ ଏହି ହାତୀପଲ ଡେରା ପକାଇଥିବା ବେଳେ ଦିନ ବେଳା ଗାଁ ଭିତରେ ପଶି ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଉଛନ୍ତି। ଅନ୍ୟପଟେ ଅସହ୍ୟ ଗୁଳୁଗୁଳି ଯୋଗୁଁ ହାତୀପଲ ବିରଳ ନଦୀରେ ଘଣ୍ଟାଘଣ୍ଟା ଧରି ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.