ସହର ଭିତରେ ପଶିଲେ ୧୨ ଟିକିଆ ହାତୀପଲ, ଲୋକେ ଭୟଭୀତ
26/03/2023 at 8:22 AM

ଝାରସୁଗୁଡ଼ା ୨୬।୦୩ : ଝାରସୁଗୁଡ଼ା ସହର ଭିତରକୁ ପଶିଲେ ୧୨ ଟିକିଆ ହାତୀପଲ। ଶନିବାର ରାତି ପ୍ରାୟ ୨ଟା ସମୟରେ ୧୨ ଟିକିଆ ହାତୀପଲ ସରବାହଲ ଦେଇ ମଙ୍ଗଳବଜାର,ମୁଙ୍ଗାପଡ଼ାରେ ପଶିଥିଲେ। ହାତୀକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ହାତୀପଲ ମଙ୍ଗଲବଜାରରେ ଥିବା ପୁରାତନ ଡାକ୍ତରଖାନାର ପାଚେରୀ ଭାଙ୍ଗିଥିବା ଜଣାପଡିଛି। ଏବେ ହାତୀପଲ ସହର ଅତିକ୍ରମ କରି ଭୁରକାମୁଣ୍ଡା ଜଙ୍ଗଲରେ ଡେରା ପକାଇଛନ୍ତି । ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗର ସ୍ୱତନ୍ତ୍ର ସ୍କ୍ବାଡ୍ ।
ଖବର ଅନୁଯାୟୀ, ରବିବାର ଏହି ହାତୀପଲ ଝାରସୁଗୁଡ଼ା ସଦର ବ୍ଲକର ଜମୁଆପାଲି ଜଙ୍ଗଲରେ ରହିଥିଲେ। ହାତୀପଲ ସୁନ୍ଦରଗଡ଼ ପଟୁ ଗାନ୍ଧିଛକ ହୋଇ ଇବ୍ ନଦୀ କୂଳକୁ ଆସିଥିଲେ। ଏହି ହାତୀପଲ ମଧ୍ୟରେ ଗୋଟିଏ ଦନ୍ତା ସହ ୪ ଟି ମାଈ ହାତୀ ଓ ୭ ଟି ଛୁଆ ହାତୀ ରହିଥିବା ସୂଚନା ମିଳିଛି। ଜମୁଆପାଳି ଜଙ୍ଗଲରୁ ହାତୀ ସହର ଅଭିମୁଖେ ଯିବା ସମ୍ଭାବନା ଥିବାରୁ ବନ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ସ୍କ୍ୱାଡ୍ ସେଠାରେ ହାତୀଙ୍କୁ ଜଗି ରହିଥିଲେ। ସଂଧ୍ୟା ପରେ ହାତୀକୁ ଘଉଡାଇବା ଉଦ୍ୟମ କରିବା ସମୟରେ ସ୍ଥାନୀୟ ଲୋକଙ୍କ ଭିଡ଼ ଯୋଗୁଁ ହାତୀ ସହର ଭିତରକୁ ପଶିଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।