କୁଣ୍ଡେଇହତା ଗାଁରେ ୧୫ଟିକିଆ ହାତୀ ପଲଙ୍କ ଉପଦ୍ରବ : ଭାଙ୍ଗିଲେ ଘର, ଖାଇଗଲେ ଧାନଚାଉଳ

Published By : Prameya-News7 Bureau | August 13, 2022 IST

ତେଲକୋଇ ୧୩।୮: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ଥମିବାର ନାଁ ଧରୁନି ହାତୀପଲଙ୍କ ଉପଦ୍ରବ । ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇ କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଚାଷୀଙ୍କ ଧାନ ଫସଲ ନଷ୍ଟ କରୁଛନ୍ତି ।

ଶୁକ୍ରବାର ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍‌ର କୁଣ୍ଡେଇହତା ଗାଁରେ ୧୫ ଟିକିଆ ହାତୀପଲ ପଶି ଉପଦ୍ରବ ଚଳାଇଥିଲେ । ଗାଁର ବିରଞ୍ଚି ପାତ୍ର ଓ ମିନ ପାତ୍ରଙ୍କର ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଛନ୍ତି । ରାତି ପ୍ରାୟ ଗୋଟାଏ ବେଳକୁ ବିରଞ୍ଚି ପାତ୍ରଙ୍କର ଘରକୁ ଘେରିଯାଇ ଭଙ୍ଗାରୁଜା କରିଥିଲେ ହାତୀପଲ । ଘରେ ଥିବା ଧାନଚାଉଳ ଖାଇବା ସହ ଟିଭି ଓ ଫ୍ୟାନକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଏହାଦେଖି ବିରଞ୍ଚିଙ୍କ ସ୍ତ୍ରୀ ଡଲି ପାତ୍ର ଭୟରେ ନିଜ ଛୋଟ ଛୁଆକୁ ଧରି ଘର ବାହାରକୁ ବାହାରିବା ବେଳେ ଦନ୍ତା ହାତୀଟି ସେମାନଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲା ।ତେବେ ହାତୀ କବଳରୁ ଅଳ୍ପକେ ବର୍ତ୍ତିଯାଇଥିଲେ ମା’ ଓ ପୁଅ ।

ସେପଟେ ମିନ ପାତ୍ରଙ୍କର ଘରର ଝରକା ଭାଙ୍ଗି ଡୋଲିରେ ଥିବା ଧାନ ଖାଇଯିବା ସହ ଦୁଇ ବସ୍ତା ଚାଉଳକୁ ଟେକିନେଇଥିଲେ ହାତୀପଲ । ବନ କର୍ମଚାରୀଙ୍କୁ ଫୋନ୍‌ କରି ଜଣାଇଲେ ମଧ୍ୟ ବିଭିନ୍ନ ବାହାନା କରି ବନ ବିଭାଗ କର୍ମଚାରୀ ହାତୀ ଘଉଡାଇବାକୁ ଆସିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.