ରାସ୍ତା ମଝିରେ ପ୍ରତିଦିନ ଛିଡ଼ା ହେଉଛି ହାତୀ; ଘଉଡ଼ାଇବାରେ ବନ ବଭାଗ ବିଫଳ

Published By : Prameya-News7 Bureau | December 23, 2022 IST

କଳାହାଣ୍ଡି ୨୩/୧୨: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ଥୁଆମୁଳ ରାମପୁର ମୁଖ୍ୟ ରାସ୍ତା କର୍ଲାପାଟ ଅଭୟାରଣ୍ୟର ଫୁର୍ଲିଝରଣରେ ପ୍ରତିଦିନ ହାତୀ ଉପଦ୍ରବ ଦେଖିବାକୁ ମିଳୁଛି। ପ୍ରତିଦିନ ଗୋଟିଏ ହାତୀ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଅଟକି ରହୁଥିବାରୁ ଯାତ୍ରୀମାନେ ଅଟକି ରହୁଛନ୍ତି। ହାତୀଟିର ନାଁ ଗଣେଶ ବୋଲି ବନ ବିଭାଗ ନାମକରଣ କରିଛି। ଭବାନୀପାଟଣାରୁ ଥୁଆମୂଳରାମପୁର ଏହା ଏକମାତ୍ର ରାସ୍ତା ହେଇଥିବାରୁ ପ୍ରତିଦିନ ଶହ ଶହ ଲୋକେ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି। ଦିନକୁ ୪ଟି ବସ୍ ଏହି ରାସ୍ତା ଦେଇ ଯାଉଥିବା ବେଳେ ରୋଗୀମାନଙ୍କୁ ନେଇ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତାରେ ଯାଏ।

କିଛିଦିନ ହେଲା ଲଗାତାର ଭାବେ ଏହି ରାସ୍ତାରେ ଗଣେଶର ଉପଦ୍ରବ ଦେଖିବାକୁ ମିଳୁଛି। ପ୍ରତିଦିନ ସକାଳୁ ଦନ୍ତା ହାତୀ ଗଣେଶ ଜଙ୍ଗଲରୁ ବାହାରି ଏହି ରାସ୍ତା ମଝିରେ ଛିଡ଼ା ହେଉଛି। ଏହି ହାତୀର ଗୋଟିଏ ଦାନ୍ତ ଥିବାରୁ ବନବିଭାଗ ପକ୍ଷରୁ ତା ନାଁ 'ଗଣେଶ' ରଖା ଯାଇଛି। ଗଣେଶ ପ୍ରତିଦିନ ରାସ୍ତାରେ ଆସି ଠିଆ ହେବା ଫଳରେ ଯାତ୍ରୀମାନେ ଯାତାୟାତ କରି ନପାରି ରାସ୍ତାର ଦୁଇ ପାଖରେ ଅଟକି ରହୁଛନ୍ତି। ଏମିତିକି ରୋଗୀମାନଙ୍କୁ ଧରି ଆମ୍ବୁଲାନ୍ସ ମଧ୍ୟ ଅଟକି ରହୁଛି।

ହାତୀଟିକୁ ଘଉଡ଼ାଇବାକୁ ଚେଷ୍ଟା କଲେ ମଧ୍ୟ ତାକୁ ଘଉଡ଼ା ଯାଇ ପାରୁନାହିଁ ବୋଲି ବନ ବିଭାଗ ପକ୍ଷରୁ ଜଣାପଡ଼ିଛି। ଯିଏ ତାକୁ ଘଉଡ଼ାଇବାକୁ ଯାଉଛି ହାତୀଟି ତାକୁ ଆକ୍ରମଣ କରିବା ପାଇଁ ମାଡ଼ି ଆସୁଛି। ଫଳରେ କେହି ସାହସ କରୁନଥିବା କହିଛନ୍ତି। ହାତୀଟିକୁ ଦେଖିବା ପାଇଁ ମଧ୍ୟ ଅନେକ ଲୋକଙ୍କ ଭିଡ଼ ଜମୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.