ମାତିଛନ୍ତି ଝାଡଖଣ୍ଡୀ ହାତୀ, ରାଜରାସ୍ତାରେ ଉପଦ୍ରବ: ଅଟକିଲା ଯାନବାହାନ, ଯାତାୟତ ବାଧାପ୍ରାପ୍ତ
5/07/2022 at 8:51 AM

କରଞ୍ଜିଆ ୦୫/୦୭: ଥମିବାର ନାଁ ଧରୁନି ହାତୀ ଉପଦ୍ରବ । କିଛିଦିନ ହେବ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର ବିଭିନ୍ନ ସ୍ଥାନରେ ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । କେବେ ହାତୀମାନେ ଫସଲ ନଷ୍ଟ କରି ଘରଦ୍ୱାର ଭାଙ୍ଗୁଛନ୍ତି ତ କେବେ ମଣିଷ ମାରୁଛନ୍ତି ।
ଅନେକ ଚେଷ୍ଟା ପରେବି ଏହି ଝାଡ଼ଖଣ୍ଡୀ ହାତୀପଲଙ୍କୁ ଘୋଡାଇବାରେ ଅସମର୍ଥ ହେଉଛି ବନବିଭାଗ । ଆଜି ସକାଳୁ ସକାଳୁ ଏହି ହାତୀପଲରୁ ୧୧ ଟି ହାତୀ ଦୁଧିଆଣି ରେଞ୍ଜ ଟଙ୍ଗାବିଲା ଜଙ୍ଗଲ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥ ମଶୀଣାବିଲା ଛକ ଉପରେ ଦୀର୍ଘ ସମୟ ଧରି ରାଜରାସ୍ତାରେ ଠିଆ ହୋଇ ରହିଥିବାରୁ ରାସ୍ତାର ଦୁଇପାର୍ଶ୍ଵରେ ଗମନାଗମନ ବନ୍ଦ ରହିବା ସହ ଗଡ଼ିଗୁଡିକ ଅଟକି ରହିଥିଲା ।
ସେପଟେ ନିକଟସ୍ଥ ଗାଁରୁ ଶତାଧିକ ଲୋକେ ଭୟଭୀତ ହୋଇ ସମସ୍ତେ ହାତୀପଲଙ୍କୁ ଦେଖିବାକୁ ଚାଲିଆସିଥିଲେ । ଦୀର୍ଘ ସମୟ ପରେ ବନବିଭାଗ ସେଠାରୁ ହାତୀପଲଙ୍କୁ ଘୋଡାଇବା ପରେବି ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା ।