ହାତୀ ଛୁଆର ମୃତଦେହ ଠାବ, ପାଣି ପିଇବାକୁ ଯାଇ ଖାଲକୁ ଖସି ଯାଇଥିବା ସନ୍ଦେହ
1/12/2020 at 11:17 AM

ସାନଖେମୁଣ୍ଡି ୧।୧୨: ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଆସିକା ରେଞ୍ଜ ବି.କରଡାକଣା ପଞ୍ଚାୟତ ଲାଉଗଡ଼ ଗାଁ ନିକଟରୁ ମୃତ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ହାତୀ ଛୁଆର ମୃତଦେହ ଉଦ୍ଧାର କରିଛି ଆସିକା ବନ ବିଭାଗ । ମୃତ ଶବ ଜବତ କରି ଷଡ଼ଙ୍ଗୀ ପଲ୍ଲୀ ବନପାଳଙ୍କ କାର୍ଯ୍ୟାଳୟରେ ରଖାଯାଇଛି । ମୃତ ହାତୀର ବୟସ ଆନୁମାନିକ ୨ରୁ ୩ ମାସ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଘୁମୁସୁର ବନଖଣ୍ଡ ଅନ୍ତର୍ଗତ ଷଡଙ୍ଗୀପଲ୍ଲୀଠାରେ ଏଇ ହାତୀ ଛୁଆର ମୃତଦେହ ଠାବ ହୋଇଛି । ମୃତ ହାତୀ ଛୁଆଟିର ବୟସ ୨ ରୁ ୩ ମାସ ହେବ ବୋଲି ଅନୁମାନ କରାଯାଉଛି । ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହାତୀର ମୃତଦେହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । କିଭଳି ପରିସ୍ଥିତିରେ ହାତୀ ଛୁଆଟିର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପାଣି ପିଇବାକୁ ଯାଇ ଖାଲକୁ ଖସି ଯାଇଥିବା ଅନୁମାନ କରାଯାଉଛି ।