ଭୁବନେଶ୍ବର: ଆସିଲା ରାଜ୍ୟର ହାତୀ ଗଣନା ରିପୋର୍ଟ କାର୍ଡ । ୭ ବର୍ଷରେ ରାଜ୍ୟରେ ହାତୀ ସଂଖ୍ୟା ୧୨୨କୁ ବୃଦ୍ଧି ହୋଇଛି । ବର୍ତ୍ତମାନ ରାଜ୍ୟର ୩୮ ବନଖଣ୍ଡରେ ଅଛନ୍ତି ୨୦ ୯୮ଟି ହାତୀ । ଯେତେବେଳେକି ୨୦୧୭ରେ ହାତୀ ସଂଖ୍ୟା ଥିଲା ୧୯୭୬ । ସେହିଭଳି ରାଜ୍ୟରେ ଥିବା ହାତୀଙ୍କ ମଧ୍ୟରୁ ୪୭୪ଟି ପୁରୁଷ, ୧୦୩୯ଟି ମାଈ ହାତୀ ଓ ୫୯୪ଟି ଛୁଆ ହାତୀ ଅଛନ୍ତି ।
ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଏବେ ହାତୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଓଡ଼ିଶା ଜଙ୍ଗଲରେ ହାତୀ ଧାରଣ କ୍ଷମତା ଅନୁସାରେ ହାତୀଙ୍କ ସଂଖ୍ୟା ଠିକ୍ ରହିଛି । ଶୀତ ଋତୁରେ ପଡ଼ୋଶୀ ରାଜ୍ୟରୁ ହାତୀ ଆସିଥିବାରୁ ସେ ସମୟରେ ରାଜ୍ୟର ହାତୀଙ୍କ ସଂଖ୍ୟା ଜାଣିବା ପାଇଁ ନଭେମ୍ୱର ୧୫ରୁ ୧୭ ଯାଏଁ ପୁଣି ଥରେ ହାତୀ ଗଣନା କରାଯିବ ।
ତେବେ ଗତ ୫ ବର୍ଷରେ ବିଭିନ୍ନ କାରଣରୁ ରାଜ୍ୟରେ ୪୦୩ ହାତୀ ମରିଛନ୍ତି । ଅର୍ଥାତ୍ ବର୍ଷକୁ ମାତ୍ର ୩-୪ % ହାତୀ ମରୁଛନ୍ତି ଯାହାକି ସ୍ଵାଭାବିକ। ଏମିତିକି ଗତ ବର୍ଷ ମାତ୍ର ୬୬ ହାତୀଙ୍କ ମୃତ୍ୟୁ ହୋଇଛି । ସେପଟେ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ପାଇଁ ଯୋଜନା ହୋଇଛି । ଆଉ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ।