ଛେଳି ଚରାଳୀଙ୍କୁ ଟେକି କଚାଡି ମାରିଲା ହାତୀ, ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ

Published By : Prameya-News7 Bureau | December 10, 2022 IST


ଢେଙ୍କାନାଳ, ୧୨।୧୦: ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ କଚାଡ଼ିଲା ହାତୀ । ଫଳରେ ଘଟଣାସ୍ଥଳରେ ଜଣେ ଛେଳି ଚରାଳି ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ଢେଙ୍କାନାଳ କପିଳାସ ଅଭୟାରଣ୍ୟ ବିରାଡ଼ିଆ ଗ୍ରାମ ନିକଟ ଜଙ୍ଗଲରେ ଏପରି ଅଘଟଣ ଘଟିଥିବା ଜଣାପଡିଛି । ମୃତ ବୃଦ୍ଧା ଜଣଙ୍କ ସ୍ଥାନୀୟ ବିରାଡ଼ିଆ ଗ୍ରାମର ଝୁନ ନାୟକ ବୋଲି ଜଣାପଡିଛି। ସବୁଦିନ ଭଳି ଝୁନ ନାଏକ ଓ ତାଙ୍କର ଜଣେ ସାଥି ଛେଳି ଚରାଇବା ପାଇଁ ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ।

ତେବେ ସେମାନେ ଜଙ୍ଗଲରେ ଛେଳି ଚରାଉଥିବା ସମୟରେ ହାତୀ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ବୃଦ୍ଧା ଝୁନ ନାୟକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ପ୍ରାଣବଞ୍ଚାଇ ପଳାଇ ଆସିଥିଲେ। ପରେ ଖବର ପାଇ ଗ୍ରାମବାସୀମାନେ ଏକତ୍ରିତ ହୋଇ ଘଟଣାସ୍ଥଳକୁ ଯାଇଥିଲେ। ହେଲେ ହାତୀଟି ମୃତଦେହ ନିକଟରେ ଜଗି ରହିଥିଲା। ଫଳରେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହାତୀଟିକୁ ଘଉଡାଇବା ପରେ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି । ସେପଟେ ରକ୍ତମୁଖା ହାତୀଟି ପାଖ ଜଙ୍ଗଲରେ ଥିବାରୁ ସ୍ଥାନୀୟ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.