ସଂଧ୍ୟାରେ ଶେଷ ହେବ ପୌର ପ୍ରଚାର, ଭୋଟରଙ୍କୁ ମନେଇବାକୁ ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର କିଛି ଘଣ୍ଟା

Published By : Prameya-News7 Bureau | March 22, 2022 IST

ଭୁବନେଶ୍ୱର ୨୨।୦୩ : ଆଜି ସଂଧ୍ୟାରେ ସରିବ ପୌର ନିର୍ବାଚନ ପ୍ରଚାର । ହାତରେ ଆଉ ମାତ୍ର କିଛି ଘଣ୍ଟାର ସମୟ । ତେଣୁ ପ୍ରାର୍ଥୀମାନେ ଜିଜାନ୍ ଲଗାଇ ପ୍ରଚାର କରୁଛନ୍ତି । କେମିତି ଲୋକଙ୍କ ପାଖରେ ପହଞ୍ଚିବେ ସେନେଇ ପ୍ରାର୍ଥୀ ଚେଷ୍ଟା ଚଳାଇଛନ୍ତି । ନିଜ ସପକ୍ଷରେ ଭୋଟ ଦେବାକୁ ଲୋକଙ୍କୁ ମନାଉଛନ୍ତି । ସେଥିପାଇଁ ବିଭିନ୍ନ ଷ୍ଟ୍ରାଟେଜି ଆପଣାଉଛନ୍ତି ପ୍ରାର୍ଥୀ । ବିଭିନ୍ନ ଦଳର ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।

ଜନ ସମର୍ଥନ ସାଉଁଟିବାକୁ ବିଭିନ୍ନ ମୁଦ୍ଦା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ଭୁବନେଶ୍ବର, କଟକ ଓ ବ୍ରହ୍ମପୁରରେ ଜୋରଦାର ଚାଲିଛି କ୍ଯାମ୍ପେନିଂ । ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେଡି , ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମଇଦାନରେ ପୁରା ଦମ୍ ଲଗାଇଦେଇଛନ୍ତି। ମହାନଗର ନିଗମ ନିର୍ବାଚନ ପାଇଁ ଏବେ ସହର ରାଜନୀତି ଚଳଚଞ୍ଚଳ ହୋଇପଡିଛି। ଘରକୁ ଘର ବୁଲିବା ସହ, ପାର୍କ, ହାଟ ବଜାର, ଜନଗହଳିପୂର୍ଣ୍ଣ ସ୍ଥାନ, ଚା ଖଟିରେ ପ୍ରଚାର ଜମୁଛି। ନିଜ ନିଜ ସମର୍ଥକଙ୍କ ସହ ପଦଯାତ୍ରା, ରାଲି କରି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ପ୍ରଚାରରେ କଂପୁଛି ବଜାର ଘାଟ ଗଳି କନ୍ଦି । ସମର୍ଥକଙ୍କୁ ଧରି ପ୍ରଚାରରେ ବ୍ୟସ୍ତ ପ୍ରାର୍ଥୀ । ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିଜ ସପକ୍ଷରେ ଭୋଟ ଦେବାକୁ ଭୋଟରଙ୍କୁ ମନାଇବାରେ ବ୍ୟସ୍ତ ।

ରାଜ୍ୟର ୧୦୬ଟି ଏନ୍ ଏସି/ମ୍ୟୁନିସପାଲଟି ଏବଂ ୩ଟି ମହାନଗର ନିଗମରେ ୨୪ତାରିଖରେ ନିର୍ବାଚନ ହେବାକୁ ଥିବାରୁ ଆଜି ସଂଧ୍ୟା ୫ଟାରୁ ପ୍ରଚାର ବନ୍ଦ ହେବ। ଏହାପରେ କୌଣସି ପ୍ରାର୍ଥୀ, ରାଜନୈତିକ ଦଳ କୌଣସି ପ୍ରକାରର ସଭାସମିତି, ପ୍ରଚାର ଆଦି କରିପାରିବେନି। ଯେଉଁ ଅଞ୍ଚଳରେ ନିର୍ବାଚନ ହେଉଥିବ ସେଠାରେ ବାହାର ଅଞ୍ଚଳର ରାଜନେତା ରହିବେ ନାହିଁ। ସେହିପରି ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ହେଉଥିବା ସମସ୍ତ ସହରାଞ୍ଚଳରେ ୫ଦିନ ପାଇଁ ମଦ ବିକ୍ରି ଉପରେ ରୋକ୍ ଲାଗିଛି। ଆଜି ସଂଧ୍ୟା ୫ଟାରୁ ୨୬ତାରିଖ ପର୍ଯ୍ୟନ୍ତ କୌଣସି ମଦ ଦୋକାନ, ରେସ୍ତୋରାଁ, ହୋଟେଲ, ତାରକା ହୋଟେଲ, କ୍ଲବରେ ମଦ ବିକ୍ରି ହୋଇପାରିବନି ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.