UPରେ ହଟିଲା ବିଦ୍ୟୁତ କର୍ମଚାରୀଙ୍କ ହରତାଳ, ଶକ୍ତି ମନ୍ତ୍ରୀଙ୍କ ସହ ୩ ରାଉଣ୍ଡ ଆଲୋଚନା ପରେ ହେଲା ସହମତି
19/03/2023 at 5:53 PM

ଲକ୍ଷ୍ନୌ ୧୯।୩: ଉତ୍ତରପ୍ରଦେଶରେ ବିଦ୍ୟୁତ କର୍ମଚାରୀଙ୍କ ହରତାଳ ରବିବାର ସମାପ୍ତ ହୋଇଛି। ସଂଘର୍ଷ ସମିତିର ସଂଯୋଜକ ଶୈଳେନ୍ଦ୍ର ଦୁବେ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ତେବେ ବିଦ୍ୟୁତ କର୍ମଚାରୀଙ୍କ ୬୫ଘଣ୍ଟାରୁ ଅଧିକ କାଳ ଧରି ଚାଲିଥିବା ହରତାଳ ଯୋଗୁ ଲୋକେ ଗୁରୁତର ପ୍ରଭାବିତ ହୋଇଛନ୍ତି। ବିଦ୍ୟୁତ ନଥିବା ଯୋଗୁ ଜଳ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ଫଳରେ ଲୋକେ ଗ୍ରୀଷ୍ମରେ ଜଳ ଓ ବିଦ୍ୟୁତ ସଂକଟର ସମ୍ମୁଖୀନ ହୋଇଥିଲେ।
ଶକ୍ତିମନ୍ତ୍ରୀଙ୍କ ସହ ବୈଠକ ପରେ ବିଦ୍ୟୁତ କର୍ମଚାରୀମାନେ ହରତାଳ ସମାପ୍ତ କରିଥିବା ଘୋଷଣା କରିଛନ୍ତି ଏହା ସହିତ ସେମାନେ କାମକୁ ଫେରିଥିବା ମଧ୍ୟ କହିଛନ୍ତି। ବୈଠକରେ ସରକାର କାମରୁ ବାହାର କରିଦେଇଥିବା ୩ ହଜାର ଲୋକଙ୍କୁ ପୁଣି ନିଯୁକ୍ତି ଦେବା ସହ ୨୨ ଜଣଙ୍କ ବିରୋଧରେ ଲାଗୁ ଏସମା ଆଇନ ଓ ୨୯ ଜଣଙ୍କ ବିରୋଧରେ ରୁଜୁ ମୋକଦ୍ଦମା ପ୍ରତ୍ୟାହାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସଂଘର୍ଷ ସମିତିର ସଂଯୋଜକ ଶୈଳେନ୍ଦ୍ର ଦୁବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଶକ୍ତିମନ୍ତ୍ରୀଙ୍କ ଆଶ୍ୱାସନା ଓ ହାଇକୋର୍ଟର ସମ୍ମାନ ଲାଗି ହରତାଳ ପ୍ରତ୍ୟାହାର କରାଯାଉଥିବା କହିଛନ୍ତି।

ତେବେ ହରତାଳରେ ସାମିଲ କର୍ମଚାରୀଙ୍କୁ କୌଣସି ଲିଖିତ ପ୍ରତିଶ୍ରୁତି ଦିଆଯାଇନି। ହେଲେ ଶକ୍ତି ମନ୍ତ୍ରୀ ବୁଝାମଣା ଲାଗି ଆଶ୍ୱାସନା ଦେଇଛନ୍ତି। ଶକ୍ତିମନ୍ତ୍ରୀ ଏ.କେ. ଶର୍ମା କହିଛନ୍ତି ଯେ ହରତାଳରେ କର୍ମଚାରୀଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରାଯିବ। ଏଥିଲାଗି ସେ ୟୁପିପିସିଏଲ ଚେୟାରମ୍ୟାନଙ୍କୁ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଶକ୍ତି ମନ୍ତ୍ରୀ କହିଛନ୍ତି। ତେବେ ସଂଘର୍ଷ ସମିତିର ଅନ୍ୟ ପ୍ରସଙ୍ଗ ଉପରେ ପରବର୍ତ୍ତି କାଳରେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।
ବିଦ୍ୟୁତ ଉତ୍ପାଦନ ୟୁନିଟିର ଘରୋଇକରଣ, ଶକ୍ତି ନିଗମ ଅଧ୍ୟକ୍ଷଙ୍କ ନିୟମ ବିରୁଦ୍ଧ ନିଯୁକ୍ତି, ନୋଏଡା ଭଳି ସହରାଞ୍ଚଳରେ ବିଦ୍ୟୁତ ଯୋଗାଣର ଠିକା ପ୍ରଦାନ, ଓବରା ଏବଂ ଅନପରା ନୂଆ ବିଦ୍ୟୁତ ଉତ୍ପାଦନ ୟୁନିଟ୍ କୁ ଏନଟିପିସିକୁ ଦେବା ଲାଗି ଅସହମତି ବିରୋଧରେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ତେବେ ଆନ୍ଦୋଳନ ଏବେ ପ୍ରତ୍ୟାହୃତ ହୋଇଛି।