ଫୋନି ବତ୍ୟାକୁ ବିତିଲା ୬ଦିନ : ବିଦ୍ୟୁତ୍ ବିନା ଡହଳ ବିକଳ ଲୋକେ, ସେପଟେ ବହୁ ଜରୁରୀ ସେବା ବି ଠପ୍

Published By : Prameya-News7 Bureau | May 09, 2019 IST

ଭୁବନେଶ୍ବର ୯|୫: ବିତିଲା ୬ ଦିନ । ବିଦ୍ୟୁତ୍ ସରବରାହ ସ୍ବାଭାବିକ ହେଲାନି। ଏପଟେ କିନ୍ତୁ ପ୍ରଶାସନ ପ୍ରତିଦିନ ଭଳି ସେହି ସମାନ ଆଶ୍ବାସନା ଦେଇଛି । ୧୨ ତାରିଖ ସୁଦ୍ଧା ସାରା ଭୁବନେଶ୍ବର ଏବଂ ପୁରୀ ବଡ ଦାଣ୍ଡକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ । ଏପଟେ ଭୁବନେଶ୍ବରର ଇନଫୋସିଟି, ଚନ୍ଦକା, ବରଗଡ, ଭିଆଇପି କଲୋନୀ ଏବଂ ସବୁ ସରକାରୀ ଅଫିସକୁ ଚାର୍ଜ କରାଯିବ ।

ଫୋନି ବତ୍ୟାକୁ ୬ ଦିନ ବିତିଲା । ବିଦ୍ୟୁତ୍ ବିନା ଡହଳ ବିକଳ ହେଉଛନ୍ତି ଲୋକେ। ବିଦ୍ୟୁତ୍ ପାଇଁ କେବଳ ଯେ ଅସହ୍ୟ ଗରମ, ଗୁଳୁଗୁଳିରେ ଲୋକେ ଷଢୁଛନ୍ତି ତାହା ନୁହେଁ, ବହୁ ଜରୁରୀ ସେବା ବି ଠପ୍‌ ହୋଇଯାଇଛି, ଲୋକଙ୍କ ଜଳ ସମସ୍ୟାର ମୂଳରେ ରହିଛି ଏହି ବିଜୁଳି । ଗାଁରୁ ରାଜଧାନୀ ସବୁଠି ସମାନ ଅବସ୍ଥା । ସୂଚନା ଓ ଲୋକ ସମ୍ପର୍କ ସଚିବ ସୂଚନା ଦେଇଛନ୍ତି ଯେ, ୧୦ ତାରିଖ ସୁଦ୍ଧା ଭୁବନେଶ୍ବରର ୮୦ ପ୍ରତିଶତ ବିଦ୍ୟୁତ୍ ଯୋଗାଣ ହେବ । ୧୨ ତାରିଖ ସୁଦ୍ଧା ଭୁବନେଶ୍ବରର ସବୁ ଅଞ୍ଚଳ ବିଦ୍ୟୁତ୍ ଯୋଗାଣ ହେବ। ୧୨ ତାରିଖରେ ପୁରୀ ବଡ ଦାଣ୍ଡରେ ବିଦ୍ୟୁତ୍ ଯୋଗାଣ ହେବ। ପୁରୀ ବିଦ୍ୟୁତ୍ ଯୋଗାଣ ପାଇଁ ମାସେ ସମୟ ଲାଗିବ ।

ରାଜଧାନୀର ଗତକାଲି ସୁଦ୍ଧା ୪୫ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ସୂଚନା ମିଳିଛି । କ୍ୟାପିଟାଲ ହସ୍ପିଟାଲରୁ ପାଓ୍ବାର ହାଉସ୍ ଛକରେ ଥିବା ସମସ୍ତ ଅଫିସ, ଫୋଖରୀପୁଟ, ଚନ୍ଦକା, ପଟିଆ, ଇନଫୋସିଟି ଅଞ୍ଚଳ, ବଡ଼ଗଡର କିଛି ଅଞ୍ଚଳ ବିଜୁଳି ଦେବାକୁ ଲକ୍ଷ୍ୟ ରଖିଥିଲା ସେସୁ । ଯେଉଁଥିରେ ୩୫ହାଜର ବିଦ୍ୟୁତ୍ ଉପଭୋକ୍ତ ଉପକୃତ ହେବେ।

ଅନ୍ୟପଟେ କଟକ‌ର ଅନେକ ଅଞ୍ଚଳ​‌​‌ରେ ୯୦ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଜଗତସିଂହପୁର ଓ କେନ୍ଦ୍ରପଡାରେ ୯୦ ପ୍ରତିଶତ କାମ ଶେଷ ହୋଇଛି। ଖୋର୍ଦ୍ଧାର କିଛି ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି।

ପୁରୀ ଏବଂ ଭୁବନେଶ୍ବରରେ ୫୪୦୦ କର୍ମଚରୀ ନିୟୋଜିତ ହୋଇଛନ୍ତି।  ରାଜ୍ୟ ବାହାରୁ ତେଲଙ୍ଗନାରୁ ଗତକାଲି ଏକ ହଜାର କର୍ମଚାରୀ ପହଞ୍ଚିଛନ୍ତି । ସେମାନଙ୍କୁ ପୁରୀ ଏବଂ ନିମାପଡାରେ ନିୟୋଜିତ କରାଯିବ। ଏହା ସହିତ ଭୁବନେଶ୍ବର ତିନୋଟି ଡିଭିଜନ ପାଇଁ ତିନିଜଣ ଆଇଏଏସ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ତଥାପି ୬ ଦିନ ପରେ ବି ଘର ଅନ୍ଧାର । ଯାହାକୁ ନେଇ ଅସନ୍ତୋଷ ଉଗ୍ରରୂପ ନେଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.