ଜାପାନରେ ଲଞ୍ଚ ହେଲା ଇଲେକ୍ଟ୍ରିକ୍ ଚାମଚ, ବଜାୟ ରଖିବ ଲୁଣର ସ୍ୱାଦ

Published By : Prameya-News7 Bureau | May 24, 2024 IST

ଇଲେକ୍ଟ୍ରିକ୍‌ କୁକର ଓ ବ୍ରଶ୍‌ ଭଳି ଉପକରଣ ବଜାରରେ ଖୁବ୍‌ ଲୋକପ୍ରିୟ ହେଉଛି । ଏବେ ଇଲେକ୍ଟ୍ରିକ୍‌ ଚାମଚ ବି ଆସିଛି । ଜାପାନର ସୁରା ପ୍ରସ୍ତୁତକାରୀ କମ୍ପାନି କିରିନ ହୋଲ୍ଡିଂସ ବୈଦ୍ୟୁତିକ ଚାମଚ ବିକ୍ରି ଆରମ୍ଭ କରିବାକୁ ଯାଉଛି । ଚାମଚ ନିର୍ମାଣରେ ନିୟୋଜିତ ଅଧ୍ୟୟନକର୍ତ୍ତା କହିଛନ୍ତି, ଏହା ଅତିରିକ୍ତ ସୋଡିୟମ୍‌ ବିନା ଖାଦ୍ୟରେ ଲୁଣର ସ୍ୱାଦକୁ ବଜାୟ ରଖିବ । ଏହା ସ୍ୱାସ୍ଥ୍ୟକର ଭୋଜନକୁ ପ୍ରୋତ୍ସହିତ କରିବ । ଗତ ସୋମବାର ଚାମଚ ଲଞ୍ଚ୍‌ ହୋଇଛି । କିରିନ କମ୍ପାନି ଚଳିତ ମାସ ୧୯,୮୦୦ ୟେନ୍‌ ଅର୍ଥାତ୍‌ ପ୍ରାୟ ୧୦,୫୨୦ ଟଙ୍କାରେ ୨୦୦ ଇଲେକ୍ଟ୍ରିକ୍‌ ସଲ୍‌ଟ ସ୍ପୁନ୍‌ ବା ଇ-ଲୁଣ ଚାମଚ ଅନ୍‌ଲାଇନ୍‌ ବିକ୍ରି କରିବ । କିଛି ଚାମଚ ଜୁନ୍‌ରେ ବିକ୍ରି ହେବ । ଆଗାମୀ ୫ ବର୍ଷ ମଧ୍ୟରେ ୧୦ ଲକ୍ଷ ଗ୍ରାହକଙ୍କୁ ଏହି ଚାମଚ ବିକ୍ରି କରିବାର ଲକ୍ଷ୍ୟ ରହିଛି । ବିଦେଶରେ ଆସନ୍ତା ବର୍ଷଠୁ ଚାମଚ ବିକ୍ରି ହେବ । ମିଜି ବିଶ୍ୱବିଦ୍ୟାଳୟର ପ୍ରଫେସର ହୋମି ମିୟାଶିତାଙ୍କ ସହ ମିଶି କମ୍ପାନି ପ୍ଲାଷ୍ଟିକ୍‌ ଓ ଧାତୁରେ ନିର୍ମିତ ଏହି ଚାମଚ ପ୍ରସ୍ତୁତ କରିଛି । ଏହା ପୂର୍ବରୁ ପ୍ରଫେସର ହୋମି ପ୍ରୋଟୋଟାଇପ୍‌ ଇଲେକ୍ଟ୍ରିକ୍‌ ଚପ୍‌ଷ୍ଟିକ୍‌ରେ ସ୍ୱାଦ ବଢ଼ାଇବାର ପ୍ରଭାବ ପ୍ରଦର୍ଶନ କରିସାରିଛନ୍ତି ।

ସଦ୍ୟ ବିକଶିତ ଇ-ଚାମଚ ଜିଭକୁ ୱିକ୍‌ ଇଲେକ୍ଟ୍ରିକ୍‌ ଫିଲ୍‌ଡ ପଠାଏ । ବିୟର୍‌ ବ୍ୟବସାୟ କରୁଥିବା କିରିନ କମ୍ପାନି ଏବେ ସ୍ୱାସ୍ଥ୍ୟ ହିତକର ଉତ୍ପାଦ ଉପରେ ଧ୍ୟାନ ଦେଉଛି । କମ୍ପାନିର କହିବା ଅନୁସାରେ, ଏହି ନୂଆ ଚାମଚର ଜାପାନରେ ଖୁବ୍‌ ମହତ୍ୱ ରହିଛି । କାରଣ ଏଠାରେ ବୟସ୍କମାନେ ପ୍ରତିଦିନ ହାରାହାରି ୧୦ ଗ୍ରାମ୍‌ ଲୁଣ ଖାଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେତିକି ଲୁଣ ଖାଇବାକୁ ପରାମର୍ଶ ଦେଇଛି, ଏହା ତା’ଠୁ ଦୁଇଗୁଣ ଅଧିକ । ଅତିରିକ୍ତ ସୋଡିୟମ୍‌ ସେବନ ରକ୍ତଚାପ, ଷ୍ଟ୍ରୋକ୍‌ ଓ ଅନ୍ୟ ରୋଗର ଆଶଙ୍କା ବଢ଼ାଇଥାଏ ।

କିରିନରେ କାର୍ଯ୍ୟରତ ଅଧ୍ୟୟନକର୍ତ୍ତା ଆଇ ସାତୋ କହିଛନ୍ତି, ଜାପାନର ଖାଦ୍ୟ ସଂସ୍କୃତିରେ ଲୁଣିଆ ସ୍ୱାଦକୁ ପସନ୍ଦ କରାଯାଏ । ତେଣୁ ଏଠାକାର ବାସିନ୍ଦାଙ୍କୁ ଲୁଣ ସେବନ କମ୍‌ କରିବା ଉଚିତ୍‌ । କିନ୍ତୁ ଏଥିରୁ ନିବୃତ୍ତ ରହିବା ମୁସ୍କିଲ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ସେମାନେ ଇ-ଚାମଚ ବିକଶିତ କରିବାକୁ ଚିନ୍ତା କଲେ । ୬୦ ଗ୍ରାମ୍‌ର ଏହି ଚାମଚ ପୁନଃଚାର୍ଜଯୋଗ୍ୟ ଲିଥିୟମ୍‌ ବ୍ୟାଟେରୀରେ ଚାଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.