ସହର ମଝିରେ ୨୨୦ କେଭି ବିଦ୍ୟୁତ ଲାଇନକୁ ପ୍ରତିବାଦ, ଅନ୍ୟତ୍ର ସ୍ଥାନାନ୍ତର ଦାବି
2/12/2022 at 10:39 AM

ସୁବର୍ଣ୍ଣପୁର ୦୨/୧୨: ସୁବର୍ଣ୍ଣପୁର ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର ଭାବେ ପରିଚିତ । ଫଳରେ ବିନିକା ସହରର ପୂର୍ବ ଭାଗରେ ଚିରସ୍ରୋତା ମହାନଦୀ ଥିବାରୁ ତାର ପଶ୍ଚିମ ଦିଗରେ ସହରୀ କରଣ ଦ୍ରୁତଗତିରେ ବଢୁଛି । ଏହି ଦିଗରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ସରକାରୀ ବେସରକାରୀ କୋଠାଘର ରହିଛି । କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ଏହି ସୀମାଦେଇ ୨୨୦କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ଟାୱାର ସ୍ଥାପନ ସହିତ ଲାଇନ ତାର ଯାଉଥିବାରୁ ବିନିକା ଏନଏସି ଅଞ୍ଚଳର ଶତାଧିକ ଚାଷଜମି କ୍ଷତିଗ୍ରସ୍ତ ହେବା ସହିତ ବ୍ୟାପକ ମାତ୍ରାରେ କୋଠାଘର ଭାଙ୍ଗି ନଷ୍ଟ ହେବାର ସମ୍ଭାବନା ରହିଛି ।
ଆଗକୁ ଟାଉନ ବଡ଼ି ନପାରି ତାର ସୌନ୍ଦର୍ଯ୍ୟ ଚୂରମାର ହୋଇଯିବ । ଅନ୍ୟ ପକ୍ଷରେ କୁଆଡେ ବିଦ୍ୟୁତ ଟାୱାର ସ୍ଥାପନ ହେଲେ ସେହି ଇଲାକାରେ ଜନବସତିରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ଏହି ଟ୍ରାନସ ମିସନ ଲାଇନ ତାରକୁ ସହର ମଝିରେ ନ ଟାଣି ଅନ୍ୟତ୍ର ବ୍ୟବସ୍ଥା କରିବାକୁ ଆଜି ଅଞ୍ଚଳର ଚାଷୀ ଓ ବୁଦ୍ଧିଜୀବୀଙ୍କ ତରଫରୁ ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇଙ୍କୁ ଦାବିପତ୍ର ପ୍ରଦାନ କରି ଅନୁରୋଧ କରିଛନ୍ତି । ଏହାର ଅବିକଳ ନକଲ କପି ମାନ୍ୟବର ବିଧାୟକ,ସାଂସଦଙ୍କ ନିକଟକୁ ମଧ୍ୟ ପ୍ରେରଣ କରିଥିବା ଜଣାପଡିଛି ।