ଶନିବାର ଷଷ୍ଠ ପର୍ଯ୍ୟାୟ ମତଦାନ; ୫୮ ଲୋକସଭା ଆସନରେ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀ,୨୪/୫: ଶନିବାର ଷଷ୍ଠ ପର୍ଯ୍ୟାୟରେ ଭୋଟ୍ ଦେବ ଭାରତ । ୨୫ ତାରିଖରେ ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୫୮ ଆସନରେ ମତଦାନ ହେବ । ଏହି ପର୍ଯ୍ୟାୟରେ ମୋଟ୍ ୮୮୯ ପ୍ରାର୍ଥୀଙ୍କ  ଭାଗ୍ୟ ନିର୍ଦ୍ଧାରଣ ହେବ । ଆସନ୍ତାକାଲି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟାରେ ୬ଟା ଯାଏ ଚାଲିବ । ଏନେଇ ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । 

ଷଷ୍ଠ ପର୍ଯ୍ୟାୟରେ ବହୁ ହେଭିଓ୍ବେଟ୍ ପ୍ରାର୍ଥୀଙ୍କ ମଧ୍ୟରେ ହେଉଛି ଟକ୍କର । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ନବୀନ ଜିନ୍ଦଲ ବିଜେପି ଟିକେଟରେ କୁରୁକ୍ଷେତ୍ର ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ସେହିପରି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରନାଲ୍ ଆସନରୁ ଲଢୁଛନ୍ତି । ରାଜ ବବର ଗୁଡ଼ଗାଓଁ ଆସନରୁ, ବାଂସୁରୀ ସ୍ୱରାଜ ନୂଆଦିଲ୍ଲୀ, ମନୋଜ ତିୱାରୀ ଉତ୍ତର ପୂର୍ବ ଦିଲ୍ଲୀରୁ ସୋମନାଥ ଭାରତୀ ଆପ୍‌ରୁ ନୂଆଦିଲ୍ଲୀ ଆସନରେ ପ୍ରାର୍ଥୀ ହୋଇଛନ୍ତି । ମେନକା ଗାନ୍ଧୀ ସୁଲ୍‌ତାନପୁରରୁ, ମେହବୁବା ମୁଫ୍‌ତି ଅନନ୍ତନାଗ-ରାଜୌରି ଆସନରୁ, ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ଲୋକସଭା ଆସନରୁ, ସମ୍ବିତ ପାତ୍ର ପୁରୀ ଆସନରୁ, ଓ ସମ୍ବଲପୁର ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେବ ଭାଗ୍ୟ ପରୀକ୍ଷା । ୟୁପିର ଆଜମଗଡ଼ରେ ବିଜେପିର ଦିନେଶ ଲାଲ ଯାଦବ ଓରଫ ନିରହୁଆଙ୍କ ଭାଗ୍ୟ ପରୀକ୍ଷା ହେବ । 

ହରିଆଣାରେ ସର୍ବାଧିକ ୨୨୩ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ଜମ୍ମୁ-କାଶ୍ମୀରରେ ସର୍ବନିମ୍ନ ୨୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ହରିଆଣାର ସମସ୍ତ ୧୦  ଏବଂ ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ ଭୋଟ  ହେବ । ୟୁପିର ସୁଲ୍‌ତାନପୁର, ଶ୍ରାବସ୍ତି, ପ୍ରତାପଗଡ଼,   ଫୁଲପୁର, ପ୍ରୟାଗରାଜ, ଜୌନପୁର, ଆଜମଗଡ଼  ସମେତ ୧୪ ଆସନ, ବିହାରରେ ପଶ୍ଚିମ ଚମ୍ପାରନ, ପୂର୍ବ   ଚମ୍ପାରନ, ବୈଶାଳି, ମହାରାଜଗଞ୍ଜ ଓ ଗୋପାଳଗଞ୍ଜ ଭଳି ୮ଟି ଆସନରେ ଭୋଟ ପଡ଼ିବ । ଜମ୍ମୁ-କାଶ୍ମୀରର ଅନନ୍ତନାଗ-ରାଜୌରି ଲୋକସଭା ଆସନରେ ମତଦାନ  ହେବ । ସେହିଭଳି ଝାଡ଼ଖଣ୍ଡର ରାଞ୍ଚି, ଗିରିଡିହ,  ଧାନବାଦ ଓ ଜାମସେଦପୁର ଲୋକସଭା ଆସନରେ  ମତଦାନ ହେବାକୁ ଯାଉଛି । ଓଡ଼ିଶାରେ କେନ୍ଦୁଝର,   ସମ୍ବଲପୁର, କଟକ, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର  ଲୋକସଭା ଆସନରେ ମତଦାନ ହେବାକୁ ଯାଉଛି ।  ରାଜ୍ୟରେ ମୋଟ ୬୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ  ହେବ । ପଶ୍ଚିମବଙ୍ଗର ଘାଟଲ, ତାମଲୁକ, କାନ୍ଥି,  ପୁରୁଲିଆ, ଝାଡ଼ଗ୍ରାମ, ମେଦିନିପୁର, ବାଙ୍କୁରା,   ବିଷ୍ଣୁପୁର ଲୋକସଭା ଆସନରେ ମତଦାନ ହେବ ।  ଏହି ଆସନଗୁଡ଼ିକରେ ମୋଟ ୭୯ ପ୍ରାର୍ଥୀ ଲଢ଼ୁଛନ୍ତି ।

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.